ନୂଆଦିଲ୍ଲୀ: ରୁଷ ସହ ଗତ ତିନି ବର୍ଷ ହେବ ଲଢେଇ କରୁଥିବା ୟୁକ୍ରେନର ଶକ୍ତି ବଢୁଥିବା ଦେଖିବାକୁ ମିଳିଛି । ଗତ ସପ୍ତାହରେ ୟୁକ୍ରେନ ରୁଷ ସୀମାରେ ୫ ହଜାର କିଲୋମିଟର ଭିତରେ ପଶି ହମଲା କରିଥିଲା । ଏବେ ୟୁକ୍ରେନକୁ ୨୦୨୬ ଏପ୍ରିଲ ସୁଦ୍ଧା ଡ୍ରୋନ ଦେବାକୁ ଘୋଷଣା କରିଛି ବ୍ରିଟେନ । ରୁଷ ସହ ଲଢେଇ ସମୟରେ ୟୁକ୍ରେନକୁ ଏତେ ବଡ ସାହାଯ୍ୟ କରି ବ୍ରିଟେନ ସ୍ପଷ୍ଟ କରିଛି ଯେ, ତାର ଆଭିମୁଖ୍ୟ କଣ । ବ୍ରିଟେନ କହିଛି ଡ୍ରୋନ ଯୁଦ୍ଧର ଆଭିମୁଖ୍ୟକୁ ବଦଳାଇ ଦେଇଛି । ଏହା ଜରିଆରେ ୟୁକ୍ରେନକୁ ବଡ ସହାୟତା ମିଳିପାରେ । ଏଥିପାଇଁ ଆମେ ୟୁକ୍ରେନକୁ ଡ୍ରୋନ ଯୋଗାଣ ୧୦ ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ ।
ବ୍ରିଟେନର ଏହି ସାହାଯ୍ୟ ପୂର୍ବରୁ ଜର୍ମାନୀ ଘୋଷଣା କରିଥିଲା ଯେ, ସେ ବଡ ସଂଖ୍ୟାରେ ଦୂରଗାମୀ ମିସାଇଲ ୟୁକ୍ରେନକୁ ଦେବ । ବ୍ରିଟେନ ସେହି ପାଶ୍ଚାତ୍ୟ ଦେଶରେ ସାମିଲ ଯିଏ ୟୁକ୍ରେନକୁ ଖୋଲାଖୋଲି ସାହାଯ୍ୟ କରୁଛି । ଏ ପର୍ଯ୍ୟନ୍ତ ଲଢେଇରେ ତୋପୋ, ବନ୍ଧୁକ ଓ ଗୁଳିମାଡରେ ୟୁକ୍ରେନର ପରାଜୟ ହୋଇ ସାରିଛି । ହେଲେ ଏବେ ଡ୍ରୋନ ହମଲାରେ ୟୁକ୍ରେନ ରୁଷର ବଡ କ୍ଷତି କରିଛି । ଏପରିକି ୟୁକ୍ରେନର ଡ୍ରୋନ ହମଲା ପରେ ଦୁନିଆରେ ଏହି ଚର୍ଚ୍ଚା ଜୋର ଧରିଛି ଯେ, କଣ ଭବିଷ୍ୟତର ଯୁଦ୍ଧ ଡ୍ରୋନରେ ହେବ । ଏମିତିରେ ବ୍ରିଟେନ ସହାୟତା ଦେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଯେ, ୟୁକ୍ରେନକୁ ସେ ସାହାଯ୍ୟ କରିବା ଜାରି ରଖିବ । ଐତିହାସିକ ଭାବେ ବ୍ରିଟେନର ଆଭିମୁଖ୍ୟ ରୁଷ ବିରୋଧୀ ରହି ଆସିଛି ।
ବ୍ରିଟେନ ସରକାର କହିଛନ୍ତି, ଆମେ ୪.୫ ବିଲିୟନ ପାଉଣ୍ଡର ସୈନ୍ୟ ସହାୟତା ୟୁକ୍ରେନକୁ ଦେବୁ । ଏହିପରି ଭାବେ ଆମେ ପ୍ୟାକେଜ ଜାରି ରଖିବୁ । ଏଥିରେ ମୁଖ୍ୟତଃ ଡ୍ରୋନ ସାହାଯ୍ୟକୁ ଗୁରୁତ୍ୱ ଦିଆଯିବ । ବ୍ରିଟିଶ ପ୍ରତିରକ୍ଷା ମନ୍ତ୍ରୀ ଜନ ହେଲି ଏହାର ଘୋଷଣା କରିବେ । ବ୍ରିଟେନର କହିବା କଥା ଚଳିତ ବର୍ଷ ଶେଷ ସୁଦ୍ଧା ହଜାର ସଂଖ୍ୟକ ଡ୍ରୋନ ୟୁକ୍ରେନକୁ ଯୋଗାଇ ଦିଆଯିବ । ଏହା ପରେ ୨୦୨୬ ଏପ୍ରିଲ ସୁଦ୍ଧା ଏକ ଲକ୍ଷ ଡ୍ରୋନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଡ୍ରୋନ ବ୍ୟତୀତ ବ୍ୟାପକ ପରିମାଣରେ ଗୋଳା ବାରୁଦ ମଧ୍ୟ ଦେବାକୁ ବ୍ରିଟେନ ଘୋଷଣା କରିଛି ।
ଅନ୍ୟପଟେ ଜର୍ମାନୀର କହିବା କଥା ସେ ୟୁକ୍ରେନକୁ ୫ ବିଲିୟନ ପାଉଣ୍ଡର ସହାୟତା କରିବ, ଯଦ୍ୱାରା ୟୁକ୍ରେନ ଦୂରଗାମୀ ମିସାଇଲ ତିଆରି କରି ପାରିବ । ଜର୍ମାନୀ ସ୍ପଷ୍ଟ କରିଛି ଯେ, ରୁଷ ସହ ମୁକାବିଲାରେ ୟୁକ୍ରେନକୁ ଦୂରଗାମୀ ମିସାଇଲର ଆବଶ୍ୟକତା ରହିଛି । ଏଥିପାଇଁ ଏହାର ଫଣ୍ଡିଂ କରାଯିବ । ଜର୍ମାନୀ ପକ୍ଷରୁ ଦିଆଯାଉଥିବା ଫଣ୍ଡକୁ ସ୍ପଷ୍ଟ ଭାବେ ସୈନ୍ୟ ସହାୟତା କୁହାଯାଉଛି । ଜର୍ମାନୀର ଚାନସେଲର ଫ୍ରେଡରିକ ମର୍ଜ ପୂର୍ବରୁ ଏହି ବିଷୟରେ ୟୁକ୍ରେନକୁ ସହାୟତା ଘୋଷଣା କରିଥିଲେ ।