ନୂଆଦିଲ୍ଲୀ: ପହଲଗାମ ହମଲା ପରେ ଭାରତ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷା ଦେଇଥିଲା । ଏହି ସମୟରେ ଦୁଇ ଦେଶ ମଧ୍ୟରେ ଅଧିକ ଉତ୍ତେଜନା ଦେଖିବାକୁ ମିଳିଥିଲା । ଭାରତ ଦୁନିଆରେ ଅନେକ ଦେଶ ଗସ୍ତ କରି ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଉଦ୍ୟମ କରିଛି । ତେବେ ଏହି ସବୁ ମଧ୍ୟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ପାକିସ୍ତାନକୁ ବଡ ଦାୟିତ୍ୱ ମିିଳିଛି । ପାକିସ୍ତାନ ୟୁଏନଏସସିରେ ୨୦୨୫ ପାଇଁ ତାଲିବାନ ପ୍ରତିବନ୍ଧ କମିଟିର ଅଧ୍ୟକ୍ଷତା କରିବ । ଏହା ବ୍ୟତୀତ ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନକୁ ଆତଙ୍କବାଦ ନିରୋଧୀ କମିଟିର ଉପାଧ୍ୟକ୍ଷ କରାଯାଇଛି । ଏହି ନିର୍ଣ୍ଣୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିଆଯାଇଛି ।
୧୯୮୮ରେ ମିଳିତ ଜାତିସଂଘ ତାଲିବାନ ପ୍ରତିବନ୍ଧକ କମିଟି ଗଠନ କରିଥିଲା । କମିଟି ସେହି ବ୍ୟକ୍ତି, ସଂଗଠନ ଓ ସଂସ୍ଥା ଉପରେ କଟକଣା ଲଗାଇଥାଏ ଯେଉଁମାନେ ତାଲିବାନ ସହ ଜଡିତ ଅଛନ୍ତି ଏବଂ ଆଫଗାନିସ୍ତାନର ଶାନ୍ତି, ସ୍ଥିରତା ଓ ସୁରକ୍ଷା ପାଇଁ ବିପଦ ପାଲଟିଥାନ୍ତି । ଏହି କମିଟିରେ ପାକିସ୍ତାନକୁ ଅଧ୍ୟକ୍ଷ କରାଯାଇଛି । ଗୁଏନା ଓ ରୁଷକୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି ।
ପାକିସ୍ତାନ ବ୍ୟତୀତ ଡେନମାର୍କକୁ ଅଲ କାଏଦା ପ୍ରତିବନ୍ଧ କମିଟି(୧୨୬୭ କମିଟି)ର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏଥିରେ ରୁଷ ଓ ସିଏରା ଲିୟୋକୁ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଛି । ଆଲଜେରିଆକୁ ୧୩୭୩ ଆତଙ୍କବାଦ ନିରୋଧୀ କମିଟିର ଅଧ୍ୟକ୍ଷ କରାଯାଇଛି, ଯେଉଁଥିରେ ଫ୍ରାନ୍ସ, ପାକିସ୍ତାନ ଓ ରୁଷ ଉପାଧ୍ୟକ୍ଷ ଅଛନ୍ତି ।
ପାକିସ୍ତାନ ୨୦୨୫-୨୬ ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ । ପରିଷଦର ସମସ୍ତ ପ୍ରତିବନ୍ଧକ କମିଟି ୧୫ ସଦସ୍ୟ ଦେଶ ସହ ମିଶି ଗଠନ ହୋଇଥାଏ ଏବଂ ଏହାର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଏ । ଉଲ୍ଲେଖନୀୟ ଭାରତର ସମସ୍ତ ପ୍ରକାରର ବିରୋଧ ସତ୍ତ୍ୱେ ବି ପାକିସ୍ତାନକୁ ମିଳିତ ଜାତିସଂଘରେ ଏହି ଗୁରୁ ଦାୟିତ୍ୱ ମିଳିଛି । ଭାରତ ବିଶ୍ୱର ଅନେକ ମଞ୍ଚରେ ପ୍ରମାଣ ସହ ତଥ୍ୟ ଦେଇଛି ଯେ, ପାକିସ୍ତାନ ଆତଙ୍କବାଦକୁ ଆଶ୍ରୟ ଦେଇ ଆସିଛି ।