କରାଚୀ: ପାକିସ୍ତାନର ସବୁଠାରୁ ବଡ଼ ସହର କରାଚୀ ଆଜିକାଲି ଏକ ଭିନ୍ନ ପ୍ରକାରର ବିପର୍ଯ୍ୟର ସାମ୍ନା କରୁଛି। ଲୋକମାନେ ରାତିରେ ଶୋଇ ପାରୁନାହାଁନ୍ତି। ଆଲୋଚନା ଚାଲିଛି ଯେ ଆଗାମୀ ଶୁକ୍ରବାର 'ପ୍ରଲୟ' ହୋଇପାରେ। କରାଚୀର ବାସିନ୍ଦା ଭୂମିକମ୍ପ ବିଷୟରେ ଚିନ୍ତିତ, ଯାହା ବର୍ଷା ପରି କରାଚୀରେ ଯେକୌଣସି ସମୟରେ ଆସିଥାଏ।
ପାକିସ୍ତାନର ପାଣିପାଗ ବିଭାଗ ଅନୁଯାୟୀ ଗତ ୪୮ ଘଣ୍ଟା ମଧ୍ୟରେ ୨୧ ଥର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି ଏବଂ ଏହି କ୍ରମ ଜାରି ରହିଛି। ବଡ଼ କଥା ହେଉଛି କିଛି ବିଶେଷଜ୍ଞ କହିଛନ୍ତି ଯେ ପ୍ରତି ଶୁକ୍ରବାର ଏହି ଭୂମିକମ୍ପ ସିରିଜ୍ ବଡ଼ ଭୂମିକମ୍ପରେ ପରିଣତ ହୋଇପାରେ। କରାଚୀର କିଛି ବାସିନ୍ଦା ଏ ବିଷୟରେ ଭୟଭୀତ। କରାଚୀ ବିଶ୍ୱବିଦ୍ୟାଳୟର ଭୂଗୋଳ ବିଭାଗର ପ୍ରଫେସର ଡକ୍ଟର ଇମ୍ରାନ ଅହମ୍ମଦ ଖାନ କହିଛନ୍ତି ଯେ ବର୍ତ୍ତମାନ ଭାରତୀୟ, ୟୁରେସିଆନ୍ ଏବଂ ଆରବୀୟ ପ୍ଲେଟ୍ ମଧ୍ୟରେ ଅସନ୍ତୁଳନ ରହିଛି ଏବଂ ଏହା କରାଚୀ ସହରରେ ଭୂମିକମ୍ପର କାରଣ ହୋଇପାରେ।
ରବିବାର ରାତିରୁ କରାଚୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଯେଉଁ ଭୂମିକମ୍ପ ଝଟକା ଲାଗିଛି ତାହା କମ୍ ରୁ ମଧ୍ୟମ ତୀବ୍ରତାର ଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୧ ଏବଂ ୩.୬ ମଧ୍ୟରେ ମାପ କରାଯାଇଥିଲା।
ସୂଚନାଯୋଗ୍ୟ, ପାକିସ୍ତାନରେ ରବିବାର ରାତି ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ, ଯାହାର ତୀବ୍ରତା ୩.୬- ଥିଲା, ରେକର୍ଡ କରାଯାଇଥିଲା, ଯାହା ଫଳରେ ସହରର ମାଲିର ଜେଲର ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା ଏବଂ ପ୍ରାୟ ୨୧୬ କଏଦୀ ଜେଲରୁ ଖସି ପଳାଇଥିଲେ।
ପାକିସ୍ତାନ ପାଣିପାଗ ବିଭାଗ ଲୋକଙ୍କୁ ଭୟଭୀତ ନ ହେବାକୁ ଅନୁରୋଧ କରିଛି। ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପ ଧୀରେ ଧୀରେ କମିଯିବ। ପିଏମଡି ମହାନିର୍ଦ୍ଦେଶକ ମେହେର ସାହିବଜାଦ ଖାନ କହିଛନ୍ତି, ଆଗାମୀ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ମୃଦୁ ତୀବ୍ରତାର ଭୂମିକମ୍ପ ଜାରି ରହିବ ଏବଂ ଭୂମିକମ୍ପର ତୀବ୍ରତା ହ୍ରାସ ପାଇବା ସହିତ ପରିସ୍ଥିତିରେ ଉନ୍ନତି ଆସିବ।
ଅଧିକ ପଢ଼ନ୍ତୁ: ପଞ୍ଜାବରେ ୨ ଜଣ ଆଇଏସ୍ଆଇ ଆତଙ୍କବାଦୀ ଗିରଫ