ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ବିବାଦରେ ଆସିଛି ନୂଆ ମୋଡ଼। ଇସ୍ରାଏଲ ସହିତ ସଂଘର୍ଷ ମଧ୍ୟରେ ଇରାନ-ସମର୍ଥିତ ହୁତି ବିଦ୍ରୋହୀମାନେ ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି। ହୁତି ବିଦ୍ରୋହୀମାନେ ଇସ୍ରାଏଲ-ଇରାନ ଯୁଦ୍ଧରେ ଇସ୍ରାଏଲକୁ ସାହାଯ୍ୟ ନ କରିବାକୁ ଆମେରିକାକୁ ଚେତାବନୀ ଦେଇଛନ୍ତି। ବିଶେଷ କରି ଆମେରିକାକୁ ଧମକ ଦେଇ କହିଛନ୍ତି ଯେ ଯଦି ଆମେରିକା ଇସ୍ରାଏଲ ସହିତ ଇରାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଆମେ ଲାଲ ସାଗରରେ ଏହାର ସମସ୍ତ ଜାହାଜ ଏବଂ ଯୁଦ୍ଧଜାହାଜକୁ ଟାର୍ଗେଟ କରିବୁ।
ୟେମେନି ସଶସ୍ତ୍ର ବାହିନୀ ଶନିବାର ଏକ ଭିଡିଓ ବିବୃତ୍ତି ଜାରି କରିଛି। ହୁତି ସାମରିକ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ୟାହୟା ସାରି କହିଛନ୍ତି, "ଯଦି ଆମେରିକା ଇସ୍ରାଏଲୀ ସେନା ସହିତ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ୟେମେନି ସଶସ୍ତ୍ର ବାହିନୀ ଲାଲ ସାଗରରେ ଏହାର ସମସ୍ତ ଜାହାଜ ଏବଂ ଯୁଦ୍ଧଜାହାଜକୁ ଟାର୍ଗେଟ କରିବ।
ଉଲ୍ଲେଖନୀୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ-ଇସ୍ରାଏଲ ଯୁଦ୍ଧରେ ସିଧାସଳଖ ସାମିଲ ହେବାକୁ ଚିନ୍ତା କରୁଥିଲେ। କିନ୍ତୁ ଏହି ଯୋଜନାକୁ ଆଗାମୀ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ତଥାପି, ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ଇରାନକୁ ଧମକ ଦେଇ ଏକ ପୋଷ୍ଟ ସେୟାର କରିଥିଲେ। ପୋଷ୍ଟରେ ଟ୍ରମ୍ପ ଇରାନକୁ କୌଣସି ସର୍ତ୍ତ ବିନା ଆତ୍ମସମର୍ପଣ କରିବାକୁ ଧମକ ଦେଇଥିଲେ।
ତଥାପି, ବିଶେଷଜ୍ଞମାନେ କହିଛନ୍ତି, କେବଳ ଆମେରିକାର ବଙ୍କର ବଷ୍ଟର ବୋମା ହିଁ ଇରାନର ଫୋର୍ଡୋରେ ଥିବା ଅତ୍ୟନ୍ତ ସୁରକ୍ଷିତ ପରମାଣୁ ସ୍ଥାନକୁ ଟାର୍ଗେଟ କରିପାରିବ। ଇସ୍ରାଏଲୀ ସେନା ଏକ ବିବୃତ୍ତି ଜାରି କରି କହିଛି ରାତିରେ ଇସଫାହାନରେ ଥିବା ଇରାନର ପରମାଣୁ ଗବେଷଣା କେନ୍ଦ୍ର ଉପରେ ଆକ୍ରମଣ କରିଛି। ତାରି ହମଲାରେ ତିନି ଜଣ ବରିଷ୍ଠ ଇରାନୀ କମାଣ୍ଡର ନିହତ ହୋଇଛନ୍ତି।