ନୂଆଦିଲ୍ଲୀ: ନେଦରଲ୍ୟାଣ୍ଡସର ହେଗ ସହରରେ ଆୟୋଜିତ ନାଟୋ ସମିଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଘୋଷଣା କରିଛନ୍ତି । ଟ୍ରମ୍ପ ବୁଧବାର କଷ୍ଟ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏହା ପରେ ଟ୍ରମ୍ପ କହିଛନ୍ତି, ଆମେରିକା ୟୁକ୍ରେନକୁ ଆହୁରି ପାଟ୍ରିୟଟ ମିସାଲଇ ସିଷ୍ଟମ ଦେବା ଉପରେ ଗମ୍ଭୀରତାର ସହ ବିଚାର କରୁଛି । ଏହା ସହିତ ସେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ କଡା ସନ୍ଦେଶ ଦେଇ ଯୁଦ୍ଧ ବନ୍ଦ କରିବାକୁ କହିଛନ୍ତି ।
ଜେଲେନସ୍କିଙ୍କ ସହ ସାକ୍ଷାତ ପରେ ଟ୍ରମ୍ପ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ଆମେରିକା ୟୁକ୍ରେନକୁ ଅତିରିକ୍ତ ପାଟ୍ରିଅଟ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଇ ଦେଇପାରେ । ଏହି ମିସାଇଲ ବହୁତ ମୁସ୍କିଲରେ ମିଳିଥାଏ । ମାତ୍ର ଆମେ ଏହା ଉପରେ ବିଚାର କରୁଛୁ ଯେ, କଣ ଏଥିରୁ କିଛି ମିସାଇଲ ୟୁକ୍ରେନକୁ ଯୋଗାଇବା ଉଚିତ୍ ହେବ କି ନାହିଁ ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଏବେ ପୁଟିନଙ୍କୁ ଯୁଦ୍ଧ ସମାପ୍ତ କରିବାକୁ ପଡିବ । ଏ ନେଇ ଶୀଘ୍ର ମୁଁ ପୁଟିନଙ୍କ ସହ ଆଲୋଚନା କରିବି । ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷକୁ ଆମେରିକା ସମାପ୍ତ କରିବାରେ ସଫଳ ହୋଇଛି । ଏଥିପାଇଁ ମୁଁ ଦୁଇ ଦେଶକୁ ଟ୍ରେଡ ଡିଲର ଧମକ ଦେଇଥିଲି । ଉଭୟ ଦେଶ ବେଶ ବୁଦ୍ଧିମାନ । ତେଣୁ ଅସ୍ତ୍ରବିରତି ଉପରେ ଭାରତ ଓ ପାକିସ୍ତାନ ଶୀଘ୍ର ସହମତି ହୋଇଥିଲେ । ଏହା ମୋ ସରକାରଙ୍କ ପ୍ରୟାସ ଯୋଗୁଁ ସଫଳ ହୋଇଛି ବୋଲି ଟ୍ରମ୍ପ କହିଛନ୍ତି ।
ଠିକ୍ ସେହିପରି ଏବେ ୟୁକ୍ରେନ ଓ ରୁଷ ମଧ୍ୟରେ ଜାରି ଲଢେଇ ବନ୍ଦ ହେବା ଉଚିତ୍ । ଏ ନେଇ ରୁଷକୁ ଅଧିକ ଯତ୍ନବାନ ହେବା ଦରକାର । ରୁଷକୁ ଏବେ ଯୁଦ୍ଧ ସମାପ୍ତ କରିବାକୁ ପଡିବ । ନଚେତ୍ ଆମେ ୟୁକ୍ରେନୁ ଆହୁରି ସାମରିକ, ଅର୍ଥିକ ଓ କୂଟନୈତିକ ସହାୟତା ଯୋଗାଇ ଚାଲିବୁ ବୋଲି ଟ୍ରମ୍ପ କହିଛନ୍ତି । ଏହା ସହିତ ଆଶା ପୋଷଣ କରିଛନ୍ତି ଯେ, ରୁଷ ଯୁଦ୍ଧ ବନ୍ଦ କରିବା ଉପରେ ଗୁରୁତର ବିଚାର କରିବ ।