ନୂଆଦିଲ୍ଲୀ: ପ୍ରାୟ ଦୁଇ ସପ୍ତାହ ଅପେକ୍ଷା ପରେ ଇରାନ ଏବେ ନିଜର ଟପ କମାଣ୍ଡରଙ୍କ ମୃତଦେହର ଅନ୍ତିମ ସଂସ୍କାର କରିବ । ଏହି ସବୁ କମାଣ୍ଡର ଇସ୍ରାଏଲ ହମଲାରେ ନିହତ ହୋଇଛନ୍ତି । ଇସ୍ରାଏଲ ଜୁନ ୧୩ରେ ଇରାନ ଉପରେ ମିସାଇଲ ମାଡ କରିଥିଲା । ଇରାନର ଆଣବିକ ଘାଟି ସମେତ ଅନେକ ସାମରିକ ପ୍ରତିଷ୍ଠାନ ଉପରେ ହମଲା କରିଥିଲା ଇସ୍ରାଏଲ । ଏଥିରେ ୨୦ ଟପ୍ କମାଣ୍ଡର ଓ କିଛି ପରମାଣୁ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଥିଲା । ତେବେଠୁ ଏହି ମୃତଦେହ ରଖିଥିବା ଇରାନ । କିନ୍ତୁ ଏବେ ଅସ୍ତ୍ରବିରତି ପରେ ସମସ୍ତଙ୍କ ଅନ୍ତିମ ସଂସ୍କାର କରାଯିବ । କୁହାଯାଉଛି ଏହି ଅବସରରେ ବହୁ ସଂଖ୍ୟାରେ ଲୋକେ ଅନ୍ତିମ ସଂସ୍କାରରେ ଯୋଗ ଦେବେ । ସାଧାରଣ ଇରାନରେ ଇସ୍ରାଏଲ କିମ୍ବା ଅନ୍ୟ ଦେଶର ହମଲାରେ ବଡ ବ୍ୟକ୍ତିଙ୍କ ନିଧନରେ ପ୍ରବଳ ଭିଡ ଜମିଥାଏ ।
ଇସ୍ରାଏଲର ଆକ୍ରମଣରେ ରିଭଲ୍ୟୁସନାରୀ ଗାର୍ଡସର ମୁଖ୍ୟ ହୁସେନ ସଲାମୀ ବି ନିହତ ହୋଇଛନ୍ତି । ସେ ଆୟାତୁଲ୍ଲା ଖାମେନିଙ୍କ ଘନିଷ୍ଠ ଥିଲେ । ସେ ତାଙ୍କର ସୁରକ୍ଷା ଦାୟିତ୍ୱ ସମ୍ଭାଳୁଥିଲେ । ରିଭଲ୍ୟୁସନାରୀ ଗାର୍ଡର ଗଠନ ଇରାନର ସର୍ବୋଚ୍ଚ ନେତାଙ୍କ ସୁରକ୍ଷା ପାଇଁ ଗଠିତ ହୋଇଥିଲା । ଖାସ୍ କରି ଖାମେନିଙ୍କ ନିକଟତର ବ୍ୟକ୍ତିଙ୍କୁ ହିଁ ରିଭଲ୍ୟୁସନାରୀ ଗାର୍ଡସର ମୁଖ୍ୟ ପଦରେ ନିଯୁକ୍ତ କରାଯାଏ ।
ଇରାନ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଶନିବାର ସକାଳ ୮ଟାରେ ଟପ୍ କମାଣ୍ଡର ଓ ବୈଜ୍ଞାନିକଙ୍କ ମୃତଦେହ ପୋତି ଅନ୍ତିମ ସଂସ୍କାର କରାଯିବ । ଆଉ ତେହରାନରେ ହିଁ ଏହ କାର୍ଯ୍ୟ ସଂପନ୍ନ ହେବ । ଏହା ବାଦ୍ ହୁସେନ ସଲାମୀଙ୍କ ଶବକୁ ଗୁରୁବାର ପୋତାଯିବ । ଇସ୍ରାଏଲର ଆକ୍ରମଣରେ ଇରାନର ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ୍ କରାଯାଇଥିଲା । ଏଥିରେ ୬୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪,୭୦୦ ଲୋକ ଆହତ ହୋଇଛନ୍ତି । ଅନ୍ୟପଟେ ଇରାନର ହମଲାରେ ଇସ୍ରାଏଲର ୨୮ ଜଣଙ୍କ ମୃତ୍ୟୁ ଘଟିଛି ।