ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ମଧ୍ୟରେ ଅସ୍ତ୍ରବିରତି ଲାଗୁ ହୋଇଛି। ଯୁଦ୍ଧ ଥମି ଯାଇଛି। ଏହା ମଧ୍ୟରେ ଇରାନ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ସ୍ୱୀକାର କରିଛି ଯେ ଆମେରିକାର ବିମାନ ଆକ୍ରମଣରେ ତାର ପରମାଣୁ ଘାଟିର ବ୍ୟାପକ କ୍ଷତି ଘଟିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଘାଇ ଅଲ ଜାଜିରାକୁ ଦେଇଥିବା ସାକ୍ଷାତକାରରେ ଏହା କହିଛନ୍ତି।
ବାଘାଇ ଆକ୍ରମଣର ପୂରା ବିବରଣୀ ଦେବାକୁ ମନା କରିଥିଲେ ମଧ୍ୟ ସ୍ଵୀକାର କରିଛନ୍ତି ଯେ ରବିବାର ଆମେରିକୀୟ B-2 ଗୁପ୍ତ ବୋମା ଦ୍ୱାରା କରାଯାଇଥିବା ଆକ୍ରମଣରେ ଆଣବିକ ଘାଟିର ବ୍ୟାପକ କ୍ଷତି ଘଟିଛି। ସେ କହିଛନ୍ତି, ଆମର ଆଣବିକ ଘାଟିର କ୍ଷତି ଘଟିଛି, ଏଥିରେ କୌଣସି ସନ୍ଦେହ ନାହିଁ। ଆମେରିକା ଏହି ଆକ୍ରମଣରେ ଏକ ବିଶେଷ ପ୍ରକାରର 'ବଙ୍କର୍ ବଷ୍ଟର୍ ବୋମା' ବ୍ୟବହାର କରିଥିଲା, ଯାହା ଭୂଗର୍ଭରେ ନିର୍ମିତ ଦୃଢ଼ ଏବଂ ସୁରକ୍ଷିତ ସ୍ଥାନଗୁଡ଼ିକୁ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ ହୋଇଛି।
ଇରାନର ଯୋଗାଯୋଗ ମନ୍ତ୍ରୀ ସତ୍ତାର ହାସେମୀ କହିଛନ୍ତି ଦେଶରେ ଇଣ୍ଟରନେଟ୍ ସେବା ଏବେ "ପୂର୍ବ ଅବସ୍ଥା"କୁ ଫେରି ଆସିଛି। ସେ ଏକ୍ସରେ ପୋଷ୍ଟ କରି ଆଶ୍ୱାସନା ଦେଇଛନ୍ତି ଯେ "ଏପରି ପରିସ୍ଥିତି ଦେସରେ ଆଉ ଘଟିବ ନାହିଁ।" ସରକାର ଜୁନ ୧୭ରେ ସାଇବର ଆଟାକକୁ ଦୃଷ୍ଟିରେ ରକି ଇଣ୍ଟରନେଟ୍ ସେବା ଧିର କରି ଦେଇଥିଲେ। ଏହା "ସାଇବର ଆକ୍ରମଣର ମୁକାବିଲା କରିବା ପାଇଁ ଏକ ରଣନୀତି" ଥିଲା। କିନ୍ତୁ ଦେଶର ଅନେକ ଭାଗରେ ଅନେକ ସ୍ଥାନରେ ପ୍ରାୟ ସମ୍ପୂର୍ଣ୍ଣ ଇଣ୍ଟରନେଟ୍ ବ୍ଲାକଆଉଟ୍ ଥିଲା।
ଆନ୍ତର୍ଜାତୀୟ ପରମାଣୁ ଏଜେନ୍ସି (IAEA) ମୁଖ୍ୟ ରାଫେଲ ଗ୍ରୋସି କହିଛନ୍ତି ଯେ ତାଙ୍କର ସବୁଠାରୁ ବଡ଼ ପ୍ରାଥମିକତା ହେଉଛି IAEA ତଦନ୍ତ ଅଧିକାରୀମାନେ ପୁଣି ଥରେ ଇରାନର ପରମାଣୁ ସ୍ଥାନ ପରିଦର୍ଶନ କରି ତଦନ୍ତ କରନ୍ତୁ। ବିଶେଷକରି ସାମ୍ପ୍ରତିକ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ପରେ କ'ଣ କ୍ଷତି ହୋଇଛି ଏବଂ ଇରାନ ପାଖରେ କେତେ ସମୃଦ୍ଧ ୟୁରାନିୟମ ବାକି ଅଛି ତାହା ଦେଖିବା ବହୁତ ଜରୁରୀ।