ବ୍ରିଟିଶ କଲମ୍ବିଆ: କାନାଡାରେ ପୁଣି ଥରେ ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଜଣେ କାନାଡିୟ ସାମ୍ବାଦିକ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣ ପଛରେ ଖଲିସ୍ତାନୀ ସମର୍ଥକମାନଙ୍କର ହାତ ଥିବା କୁହାଯାଉଛି। କାନାଡାରେ ଏହା ତୃତୀୟ ଥର ପାଇଁ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି।
କାନାଡିଆନ୍ ହିନ୍ଦୁ ଚାମ୍ବର ଅଫ୍ କମର୍ସ (ସିଏଚ୍ସିସି) ମଧ୍ୟ ଏହି ଅପ୍ରୀତିକର ଘଟଣା ନେଇ ଚିନ୍ତା ପ୍ରକଟ କରିଛି। ସିଏଚ୍ସିସି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ଭିଡିଓ ସେୟାର କରିବା ସହ ଏହାକୁ ଦୃଢ଼ ନିନ୍ଦା କରିଛି।
ସୂଚନାଯୋଗ୍ୟ, ଏହି ଆକ୍ରମଣ ବ୍ରିଟିଶ କଲମ୍ବିଆର ଲକ୍ଷ୍ମୀ ନାରାୟଣ ମନ୍ଦିର ଉପରେ ହୋଇଥିଲା। ସିଏଚ୍ସିସି କହିଛି ଯେ ଏହି ଆକ୍ରମଣ ପଛରେ ଖଲିସ୍ତାନୀ ଆତଙ୍କବାଦୀମାନଙ୍କର ହାତ ଅଛି। ସେମାନେ ମନ୍ଦିରରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ସିଏଚ୍ସିସି ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ କାନାଡାରେ ଏପରି ଘୃଣାର କୌଣସି ସ୍ଥାନ ନାହିଁ। ଏହା ହିନ୍ଦୁଫୋବିୟାର ଏକ ଉଦାହରଣ। ଆମେ ଏହା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ। ଆମେ କାନାଡାର ସମସ୍ତ ନାଗରିକଙ୍କୁ ହିଂସା ବିରୁଦ୍ଧରେ ଏକତ୍ରିତ ହେବାକୁ ମଧ୍ୟ ନିବେଦନ କରୁଛୁ।
କାନାଡିୟ ସାମ୍ବାଦିକ ଡାନିଏଲ ବୋର୍ଡମ୍ୟାନ୍ ମଧ୍ୟ ଆକ୍ରମଣର ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ଏହି ଭିଡିଓ ମନ୍ଦିର ବାହାରୁ। ୨ ଜଣ ଅଜଣା ବ୍ୟକ୍ତି ମନ୍ଦିରର କାନ୍ଥକୁ କ୍ଷତି ପହଞ୍ଚାଇ ସୁରକ୍ଷା କ୍ୟାମେରା ଚୋରି କରି ନେଇଛନ୍ତି। ଏହି ଘଟଣାଟି ରାତି ପ୍ରାୟ ୩ଟା ସମୟରେ ଘଟିଥିଲା।
ଏହା ପୂର୍ବରୁ ଖଲିସ୍ତାନି ସମର୍ଥକମାନେ ରସ୍ ଷ୍ଟ୍ରିଟ୍ ଗୁରୁଦ୍ୱାର ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଗୁରୁଦ୍ୱାରର କାନ୍ଥରେ ଖଲିସ୍ତାନି ସ୍ଲୋଗାନ ଦେଖିବାକୁ ମିଳିଥିଲା। ଏହି ଆକ୍ରମଣ ପରେ ଶିଖ ସମ୍ପ୍ରଦାୟରେ ବହୁତ କ୍ରୋଧ ରହିଛି। ଭାନକୁଭର ପୁଲିସ ଗୁରୁଦ୍ୱାର ଉପରେ ଆକ୍ରମଣର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ: ଗଛରେ ପିଟିହୋଇ ଖଣ୍ଡଖଣ୍ଡ ହେଲା କାର୍