ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କ ସହରରେ ଏକ ପର୍ଯ୍ୟଟକଙ୍କ ହେଲିକପ୍ଟର ହଡସନ ନଦୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ତିନି ଜଣ ଶିଶୁ ମଧ୍ୟ ଥିଲେ।
ନ୍ୟୁୟର୍କ ମେୟର ଏରିକ୍ ଆଡାମ୍ସ କହିଛନ୍ତି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନେ ସ୍ପେନର ଗୋଟିଏ ପରିବାରର ଥିଲେ ଏବଂ ହେଲିକପ୍ଟର ପାଇଲଟ୍ ମଧ୍ୟ ସେମାନଙ୍କ ସହିତ ଥିଲେ। ଖବର ସରବରାହ ସଂସ୍ଥା ଏଏଫପି ଅନୁଯାୟୀ, ଦୁର୍ଘଟଣା ପରେ ଦୁଇଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ପରେ ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ମୃତକଙ୍କ ନାମ ପ୍ରକାଶ କରିନାହାଁନ୍ତି, କିନ୍ତୁ ନ୍ୟୁୟର୍କ ପୋଷ୍ଟ ରିପୋର୍ଟ କରିଛି ଯେ ହେଲିକପ୍ଟରରେ ସିମେନ୍ସ ସ୍ପେନର ଅଧ୍ୟକ୍ଷ ଏବଂ ସିଇଓ ଅଗଷ୍ଟିନ୍ ଏସ୍କୋବାର, ତାଙ୍କ ପତ୍ନୀ ଏବଂ ସେମାନଙ୍କର ତିନି ପିଲା ଥିଲେ।
ମେୟର ଏରିକ୍ ଆଡାମ୍ସ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ କହିଛନ୍ତି, "ବର୍ତ୍ତମାନ ସମସ୍ତ ଛଅ ଜଣଙ୍କୁ ପାଣିରୁ ବାହାର କରାଯାଇଛି ଏବଂ ଦୁଃଖର ବିଷୟ ଯେ ସମସ୍ତଙ୍କର ମୃତ୍ୟୁ ହୋଇଛି।" ସେ ଆହୁରି କହିଛନ୍ତି ଯେ ଏହା ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟବିଦାରକ ଦୁର୍ଘଟଣା।
- ଦୁର୍ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ହଡସନ ନଦୀରେ ଏକ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ଘଟିଛି। ଏହା ମନେ ହେଉଛି ଯେ ପାଇଲଟ, ଦୁଇ ବୟସ୍କ ଏବଂ ତିନି ଜଣ ପିଲାଙ୍କ ସମେତ ଛଅ ଜଣ ଆଉ ଆମ ମଧ୍ୟରେ ନାହାନ୍ତି। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, "ଭଗବାନ ପୀଡିତଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ଶକ୍ତି ଦିଅନ୍ତୁ। ପରିବହନ ସଚିବ ସିଆନ୍ ଡଫି ଏବଂ ତାଙ୍କ ଦଳ ଏହି ଘଟଣାର ତଦନ୍ତ କରୁଛନ୍ତି। ଏହି ଦୁର୍ଘଟଣା କିପରି ଏବଂ କାହିଁକି ଘଟିଲା ତାହା ଖୁବ୍ ଶୀଘ୍ର ଜଣାପଡିବ।"
ନ୍ୟୁୟର୍କ ପୋଲିସ କମିଶନର ଜେସିକା ଟିସ୍ଚଙ୍କ ଅନୁଯାୟୀ, ଏହି ହେଲିକପ୍ଟରଟି ନ୍ୟୁୟର୍କ ହେଲିକପ୍ଟର ଟୁର୍ସ କମ୍ପାନୀର ଥିଲା। ହେଲିକପ୍ଟରଟି ଅପରାହ୍ନ ପ୍ରାୟ ୩ଟାରେ ସହରର ଏକ ହେଲିପ୍ୟାଡ୍ରୁ ଉଡ଼ାଣ ଆରମ୍ଭ କରିଥିଲା।
ଅଧିକ ପଢ଼ନ୍ତୁ: ଆଜି କାଶୀ ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ