ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଗାଜାରେ ମୁହାଁମୁହିଁ ହୋଇଛନ୍ତି ହମାସ ଆତଙ୍କୀ ଏବଂ ଇସ୍ରାଏଲ ସେନା । ଇସ୍ରାଏଲ୍-ହମାସ ଯୁଦ୍ଧକୁ ଆଜି ୧୬ଦିନ ପୁରିବା ସହିତ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କହିଛି ଯେ ଗାଜାରେ ଗ୍ରାଉଣ୍ଡ ଅପରେସନ୍ ପାଇଁ ସେନା ପ୍ରସ୍ତୁତି ଶେଷ କରିସାରିଛି। ଏୟାରଷ୍ଟ୍ରାଇକ କରି ଆତଙ୍କବାଦୀଙ୍କୁ ନିପାତ କରିବାକୁ ଗୁରୁତ୍ୱ ଦେଉଛି ଇସ୍ରାଏଲ ସେନା । ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି ଇସ୍ରାଏଲ-ହମାସ ଯୁଦ୍ଧ। ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ, ଗାଜାରେ ମୃତ୍ୟୁ ସଂଖ୍ୟା ୪୬୫୧କୁ ବୃଦ୍ଧି ପାଇଛି। ଏଥିସହ ୱେଷ୍ଟ ବ୍ୟାଙ୍କରେ ଅତି କମରେ ୯୧ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି | ଅକ୍ଟୋବର ୭ ତାରିଖରୁ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୧୪୦୦ ଇସ୍ରାଏଲ୍ ଏଥିରେ ପ୍ରାଣ ହରାଇଛନ୍ତି, ଯାହା ଇସ୍ରାଏଲ୍ ଇତିହାସରେ ସାଂଘାତିକ ଯୁଦ୍ଧ ଅଟେ। ଏହି ଯୁଦ୍ଧର 'ପରବର୍ତ୍ତୀ ପର୍ଯ୍ୟାୟ' ପୂର୍ବରୁ ସେମାନେ ହମାସ ବିରୁଦ୍ଧରେ ଆକ୍ରମଣକୁ ଆହୁରି ଜୋରଦାର କରୁଛନ୍ତି ବୋଲି ଘୋଷଣା କରି ଇସ୍ରାଏଲ୍ ଗାଜାରେ ଏହାର ଆକ୍ରମଣକୁ ତୀବ୍ର କରିଛି। ସମ୍ଭାବ୍ୟ ଗ୍ରାଉଣ୍ଡ ଆକ୍ରମଣ ପାଇଁ ସେନା ସମସ୍ତ ପ୍ରସ୍ତୁତି ଶେଷ କରିଥିବା ଘୋଷଣା କରିଛି ଏବଂ 'ତେଲ ଆଭିଭ'ର ନିର୍ଦ୍ଦେଶକୁ ଅପେକ୍ଷା କରିଛି ବୋଲି ସେନା କହିଛି। ଯୁଦ୍ଧ ଉପରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶ ଓ ଇସଲାମିକ ଦେଶମାନଙ୍କର ନଜର ରହିଛି ।
ଏପଟେ ନିଜ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଇସ୍ରାଏଲ ନାଗରିକ । ୟୁକ୍ରେନ ଉପରେ ଋଷର ମାତ୍ରାଧିକ ଆକ୍ରମଣକୁ ଯେଭଳି ଋଷ ନାଗରିକ ବିରୋଧ କରୁଛନ୍ତି ସେହିଭଳି ଏବେ ଇସ୍ରାଏଲର ନାଗରିକମାନେ ମଧ୍ୟ ଇସ୍ରାଏଲ ସରକାରଙ୍କ ବିଚାରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଇସ୍ରାଏଲ ନାଗରିକମାନେ ରାସ୍ତାରେ ପ୍ରଦର୍ଶନ କରି ହମାସ ଚରମପନ୍ଥୀଙ୍କ ଦ୍ୱାରା ବନ୍ଦୀ ଥିବା ଇସ୍ରାଏଲ ନାଗରିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ : ହମାସ ବିରୁଦ୍ଧରେ ଯୁଦ୍ଧ ଲଢ଼ିବେ ଅଭିନେତା ତସାହି