ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଚାରି ଦିନର ସଂଘର୍ଷରେ ଭାରତ ଆଗରେ ଆଣ୍ଠେଇବା ପରେ ବି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ଆସୀମ ମୁନୀରଙ୍କୁ ଫିଲ୍ଡ ମାର୍ଶାଲ ପଦବୀରେ ପଦୋନ୍ନତି ଦିଆଯାଇଛି। ପାକ୍ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଫେଡେରାଲ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜେନେରାଲ ମୁନୀରଙ୍କୁ ଏହି ପଦନ୍ନୋତି ସେହି ସମୟରେ ମିଳିଛି, ଯେତେବେଳେ ପାକିସ୍ତାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ପ୍ରସଙ୍ଗରେ ପୂରା ଦୁନିଆରେ ଲୋକହସା ହୋଇଛି।
ପାକିସ୍ତାନ ଖବରକାଗଜ ଡନ୍ ଅନୁଯାୟୀ, "ଅପରେସନ୍ ବନୟାନ୍-ଉମ୍-ମାର୍ସୁସ୍" ସମୟରେ ତାଙ୍କ କଥିତ 'ଉତ୍କୃଷ୍ଟ ରଣନୀତି' ଯୋଗୁଁ ପାକ୍ ସରକାର ଆସୀମ ମୁନୀରଙ୍କୁ ପଦୋନ୍ନତି ଦେଇଛନ୍ତି। ଏହା ପୂର୍ବରୁ, ପାକିସ୍ତାନୀ ଜେନେରାଲ ଆୟୁବ ଖାନ ୧୯୬୦ ଦଶନ୍ଧିରେ ନିଜକୁ ଫିଲ୍ଡ ମାର୍ଶାଲ (ପାକିସ୍ତାନ ସେନା ଫିଲ୍ଡ ମାର୍ଶାଲ) ଉପାଧି ଦେଇଥିଲେ।
ଫିଲ୍ଡ ମାର୍ଶାଲ ହେବା ପରେ, ଆସୀମ ମୁନୀର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ସଂଘୀୟ କ୍ୟାବିନେଟକୁ ତାଙ୍କ ଉପରେ ଭରସା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଏହି ସମ୍ମାନ ହେଉଛି ଜାତିର ବିଶ୍ୱାସ ଯାହା ପାଇଁ ଲକ୍ଷ ଲକ୍ଷ ଅସୀମ ନିଜ ଜୀବନ ବଳିଦାନ ଦେଇଛନ୍ତି। ଏହା ବ୍ୟକ୍ତିଗତ ସମ୍ମାନ ନୁହେଁ ବରଂ ପାକିସ୍ତାନର ସଶସ୍ତ୍ର ବାହିନୀ ଏବଂ ସମଗ୍ର ଜାତିର ସମ୍ମାନ।
ଭାରତ ଦ୍ୱାରା ସଂଘର୍ଷରେ ମୁହଁତୋଡ଼ ଜବାବ ମିଳିବା ପରେ ବି ଆସୀମ ମୁନୀରଙ୍କ ଛାତିରେ ଏକ ପଦକ ଝଲସିବ। ଆୟୁବ ଖାନଙ୍କ ପରେ ଆସୀମ ମୁନିର ହେଉଛନ୍ତି ପାକିସ୍ତାନ ଇତିହାସରେ ଦ୍ୱିତୀୟ ସେନାମୁଖ୍ୟ ଯିଏ ଏହି ସଫଳତା ହାସଲ କରିଛନ୍ତି। ମେ ୬ ଏବଂ ୭ ତାରିଖ ରାତିରେ ପାକିସ୍ତାନର ଆତଙ୍କବାଦୀ ଘାଟି ଉପରେ ଆକ୍ରମଣ ପରେ ପାକିସ୍ତାନ ଦ୍ୱାରା ଭାରତ ଉପରେ ଆକ୍ରମଣ ଏବଂ ନିଜେ ବିଜୟ ଘୋଷଣା କରିବାର ପୁରସ୍କାର ଅସୀମ ମୁନୀରଙ୍କୁ ମିଳିଛି। ଅର୍ଥାତ୍ ଜଣେ ଆତ୍ମ-ପ୍ରଶଂସା ପୁରୁଷ ହେବା ପାଇଁ ପାକିସ୍ତାନ ସରକାର ଅସୀମ ମୁନିରଙ୍କୁ ଏହି ପୁରସ୍କାର ଦେଇଛନ୍ତି।
ଶାହବାଜ ସରିଫ ଏବଂ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନୀର ଲଗାତାର ଦାବି କରିଆସୁଛନ୍ତି ଯେ ସେମାନଙ୍କର ଅତୁଳନୀୟ ସାମରିକ ନେତୃତ୍ୱ ଯୋଗୁଁ ସେମାନେ ଭାରତକୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିଲେ। କିନ୍ତୁ ବିଶ୍ୱ ଦେଖିଲା ଯେ ପାକିସ୍ତାନର ସେନା କିପରି ଭାବେ ଭାରତୀୟ ସେନା ଆଗରେ ଆତ୍ମସମର୍ପଣ କରିଥିଲା। ଭାରତ ସରକାର ପାକିସ୍ତାନର ଫମ୍ପା ଦାବିର ଗୋଟିଏ ପରେ ଗୋଟିଏ ଅସଲ ମୁଖା ଖୋଲିଥିଲା। ସମଗ୍ର ବିଶ୍ୱକୁ ଭାରତୀୟ ସେନା ପ୍ରମାଣ ସହିତ ଦେଖାଇଛି ଯେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ପାକିସ୍ତାନର ଅବସ୍ଥା କିପରି ଦୁର୍ବଳ ହୋଇଛି।