ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି । ମଙ୍ଗଳବାର ମଧ୍ୟ ଭୋକ ଏବଂ ଶୋଷରେ ପୀଡିତ ଗାଜା ଉପରେ ଇସ୍ରାଏଲୀ ଆକ୍ରମଣ କରିଛି। ଏହି ସମୟରେ, ଜାତିସଂଘ ବଡ ଚେତାବନୀ ଜାରି କରିଛି । ୟୁଏନଓ କହିଛି ଯେ ଯଦି ଯୁଦ୍ଧଗ୍ରସ୍ତ ଅଞ୍ଚଳକୁ ଖାଦ୍ୟ ସହାୟତା ଶୀଘ୍ର ପହଞ୍ଚା ନ ଯାଏ, ତେବେ ଗାଜାରେ ୪୮ ଘଣ୍ଟା ମଧ୍ୟରେ ୧୪,୦୦୦ ଶିଶୁଙ୍କ ମୃତ୍ୟୁ ହୋଇପାରେ।
ଶେଷରେ ସହଯୋଗୀ ଦେଶଙ୍କ ଚାପରେ ଆସି ଇସ୍ରାଏଲ ସୋମବାର ମାର୍ଚ୍ଚ ୨ ତାରିଖରୁ ଜାରି ରହିଥିବା ଅବରୋଧକୁ ସମାପ୍ତ କରି ଗାଜା ଦେଇ ନଅ ଟ୍ରକ ଖାଦ୍ୟ, ପାନୀୟ ଜଳ ଏବଂ ଔଷଧ ଯିବାକୁ ଅନୁମତି ଦେଇଛି । କିନ୍ତୁ ସ୍ଥିତି ଯାହା ଅଛି ଗାଜାର ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ୫୦୦ ଟ୍ରକ ଖାଦ୍ୟ ସାମଗ୍ରୀର ଆବଶ୍ୟକତା ରହିଛି । ବ୍ରିଟେନ, ଫ୍ରାନ୍ସ ଏବଂ କାନାଡା ଗାଜାର ପରିସ୍ଥିତି ପ୍ରତି ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଏବଂ ବିଳମ୍ବ ନକରି ଗାଜାକୁ ଯଥେଷ୍ଟ ମାନବିକ ସହାୟତା ପଠାଇବାକୁ ଇସ୍ରାଏଲକୁ ଆହ୍ୱାନ କରିଛନ୍ତି।
ଜାତିସଂଘର ମାନବିକତା ମୁଖ୍ୟ ଟମ୍ ଫ୍ଲେଚର କହିଛନ୍ତି ଯେ ସୋମବାର ଦିନ ଶିଶୁମାନଙ୍କ ପାଇଁ ଖାଦ୍ୟ ସମେତ ମାନବିକ ସହାୟତା ବୋଝେଇ ପାଞ୍ଚଟି ଟ୍ରକ ଗାଜାରେ ପହଞ୍ଚିଛି । କିନ୍ତୁ ଇସ୍ରାଏଲର ଏହି ସହାୟତ ବହୁତ ନଗଣ୍ୟ ରହିଛି । ଏ ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ଖାଦ୍ୟ ପଦାର୍ଥ ବି ପହଞ୍ଚି ପାରିନି । ସେ କହିଛନ୍ତି, ଆଗାମୀ ୪୮ ଘଣ୍ଟା ଭିତରେ ଯଦି ଆମେ ପୀଡିତଙ୍କ ନିକଟରେ ନ ପହଞ୍ଚୁ ତେବେ ୧୪ ହଜାର ଶିଶୁଙ୍କ ମୃତ୍ୟୁ ଘଟିବ । ଆମେ ମାଆଙ୍କ ପର୍ଯ୍ୟନ୍ତ ଶିଶୁ ଆହାର ଯୋଗାଇବା ପାଇଁ ଯଥା ସମ୍ଭବ ଚେଷ୍ଟା ଚଳାଇଛୁ । ଏହି ସବୁ ଶିଶୁ ପୃଷ୍ଟିହୀନତାର ଶିକାର ହୋଇଛନ୍ତି ।
ଗାଜାରେ ୧୪,୦୦୦ ଶିଶୁ ଅନାହାର ବିପଦରେ ଅଛନ୍ତି ବୋଲି ଜାତିସଂଘ କିପରି ନିର୍ଣ୍ଣୟ କଲାପପ୍ରଶ୍ନ ଉପରେ ଫ୍ଲେଚର କହିଛନ୍ତି ଯେ ଆବଶ୍ୟକତା ଆକଳନ କରିବା ପାଇଁ ଜାତିସଂଘ ଦଳଗୁଡ଼ିକ ଚିକିତ୍ସା କେନ୍ଦ୍ର ଏବଂ ସ୍କୁଲ ଭଳି ସ୍ଥାନରେ କାର୍ଯ୍ୟ କରୁଛନ୍ତି।