ନୂଆଦିଲ୍ଲୀ: ବାଂଲାଦେଶରେ ଅନ୍ତରୀଣ ସରକାରର ପ୍ରମୁଖ ମହମ୍ମଦ ୟୁନୁସ ଓ ସେନା ପ୍ରମୁଖ ୱାକାର-ଉଜ-ଜମାନଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ରିପୋର୍ଟ ଅନୁସାରେ ସେନା ମୁଖ୍ୟ ତତ୍କାଳ ବଡ ବୈଠକ ଡକାଇଛନ୍ତି । ଯାହା ଫଳରେ ଭବିଷ୍ୟତର କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପର ଯୋଜନା ପ୍ରସ୍ତୁତ କରାଯାଇ ପାରିବ । ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ଯେ, ବାଂଲାଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ ହେବାକୁ ଯାଉନି ତ ?
ସୂଚନା ମୁତାବକ ସେନା ପ୍ରମୁଖ ୟୁନୁସଙ୍କ ଉପରେ ଚାପ ପକାଉଛନ୍ତି ଯେ, ଯଥା ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରାଯାଉ । ସେନା ପ୍ରମୁଖଙ୍କ ସବୁଠୁ ବଡ ଚିନ୍ତା ବିଦେଶୀ ହସ୍ତକ୍ଷେପ କାରଣରୁ ଦେଶରେ ଯେମିତି ଅସ୍ଥିରତା ମାହୋଲ ସୃଷ୍ଟି ନ ହେଉ । କାରଣ ୟୁନୁସଙ୍କୁ କିଛି ଲୋକ ବିଦେଶୀ ଏଜେନ୍ସିଙ୍କ କଣ୍ଢେଇ ବୋଲି ବିବେଚନା କରନ୍ତି ।
ସୂତ୍ର ମୁତାବକ ୱାକାର-ଉଜ-ଜମାନ ଶେଖ ହସିନା ଓ ଖାଲିଦ ଜିଆଙ୍କ ପାର୍ଟିକୁ ଏକଜୁଟ କରିବାକୁ ଚାହାନ୍ତି । ଏଥିସହ ନିର୍ବାଚନରେ ସାମିଲ ହେବା ପାଇଁ ଦୁଇ ପାର୍ଟିକୁ ପ୍ରେରିତ କରିବାକୁ ଚାହାନ୍ତି । ଏହା ମଧ୍ୟରେ ୟୁନୁସ ସରକାରଙ୍କ କାର୍ଯ୍ୟକାରୀ ଆଦେଶ ଜରିଆରେ କଏଦୀମାନଙ୍କ ମୁକ୍ତ କରାଯିବା ନିଷ୍ପତ୍ତି ସେନା ପାଇଁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଜେନେରାଲ ଜମାନ ସଶସ୍ତ୍ର ବଳ ଡିଭିଜନର ପ୍ରିନ୍ସିପଲ ଷ୍ଟାଫ ଅଫିସର ଲେଫ୍ଟନାଣ୍ଟ ଜେନେରାଲ କମରୁଲ ହସନଙ୍କୁ ବରଖାସ୍ତ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ୟୁନୁସ ସରକାର ଏହାକୁ ରୋକି ଦେଇଥିଲେ.
ଏହି ଘଟଣା କ୍ଷମତାର ନିୟନ୍ତ୍ରଣ ଓ ପ୍ରଭାବକୁ ନେଇ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନାର କାରଣ ପାଲଟିଥିଲା । ୟୁନୁସ ସରକାରଙ୍କୁ ନେଇ ସେନାର କହିବା କଥା ଏହି ସରକାର ଦେଶରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରଭାବୀ ଢଙ୍ଗରେ ନିୟନ୍ତ୍ରଣ କରୁ ପାରୁ ନାହାନ୍ତି । ଏହାକୁ ନେଇ ସେନା ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ୟୁନୁସଙ୍କ ବିଦେଶ ନୀତି ଓ କ୍ଷେତ୍ରୀୟ ଆଭିମୁଖ୍ୟ ବାଂଲାଦେଶ ହିତ ବିରୋଧରେ ରହିଥିବା ସେନା ଭାବୁଛନ୍ତି । ବିଶେଷ କରି ୟୁନୁସ ସରକାର ପାକିସ୍ତାନ ଓ ଚୀନ ସହିତ ଅଧିକ ନିକଟତର ହେଉଥିବା ସେନା ପ୍ରମୁଖଙ୍କୁ ଚିନ୍ତିତ କରିଛି ।
ସେନା ପ୍ରମୁଖ ୱାକାର-ଉଜ-ଜମାନଙ୍କୁ ଲାଗୁଛି ଯେ, ୟୁନୁସଙ୍କ ନୀତି ଦେଶର ସାର୍ବଭୌମତ୍ୱ ଓ କ୍ଷେତ୍ରୀୟ ସ୍ଥିରତା ପାଇଁ ବିପଦ ସୃଷ୍ଟି କରିପାରେ । ୟୁନୁସଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ସେଠାକାର ସେନା ପସନ୍ଦ କରୁ ନାହାନ୍ତି । ଏହା ବ୍ୟତୀତ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଆଇଏସଆଇର ହସ୍ତକ୍ଷେପ ଓ ୟୁନୁସ ସରକାରଙ୍କ କିଛି ଅଧିକାରୀଙ୍କ ସହିତ ସାକ୍ଷାତ ସେନାର ଅବିଶ୍ୱାସକୁ ଆହୁରି ଗଭୀର କରିଛି ।