ନୂଆଦିଲ୍ଲୀ: ମିଆଁମାର ଓ ଥାଇଲାଣ୍ଡରେ ମାର୍ଚ୍ଚ ୨୮ରେ ଘଟିଥିବା ଭୟଙ୍କର ଭୂମିକମ୍ପ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ଭୂକମ୍ପର ତୀବ୍ର ଝଟକା କାରଣରୁ ଅନେକ କୋଠା ମାଟିରେ ମିଶି ଯାଇଛି । ମିଆଁମାରରେ ଏ ପର୍ଯ୍ୟନ୍ତ ପାଖାପାଖି ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି । ସ୍ଥିତି ଦେଖିଲେ ମୃତକ ସଂଖ୍ୟା ଆହୁରି ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ପାଇଁ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି ।
ଆମେରିକା ଭୌଗୋଳିକ ସର୍ବେକ୍ଷଣ(ୟୁଏସଜିଏ) ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ମାଣ୍ଡଲେ ସହରରଠୁ ପ୍ରାୟ ୧୭ କିଲୋମିଟର ଦୂର ଭୁପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା । ୭.୭ ତୀବ୍ରତାର ବଡ ଝଟକା ଅନୁଭୂତ ହୋଇଥିଲା । ଏହା ପରେ ପୁଣି ଥରେ ୬.୪ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଭୟଙ୍କର ଭୂକମ୍ପ ପରେ ମିଆଁମାର ଓ ଥାଇଲାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଅନେକ ସ୍ଥାନର ସ୍ଥିତି ଭୟାନକ ରହିଛି, ଯାହା ବର୍ଣ୍ଣନା କରି ହେବ ନାହିଁ ।
ଭାରତର ପଶ୍ଚିମବଙ୍ଗ ଓ ମଣିପୁରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ବାଂଲାଦେଶରେ ମଧ୍ୟ ୭.୩ ତୀବ୍ରତାର ଭୂକମ୍ପ ଆସିବା ପରେ ଝଟକା ଅନୁଭୂତ ହୋଇଛି । ମଝିରେ ମଝିରେ ଆସୁଥିବା ଭୂକମ୍ପ ଝଟକା ଅନେକ ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଲୋକଙ୍କ ମଧ୍ୟରେ ଭୟର ମାହୋଲ ରହିଛି ।
ଆମେରିକାର ଭୌଗୋଳିକ ସର୍ବେକ୍ଷେଣର ଅନୁମାନ ମୃତକଙ୍କ ସଂଖ୍ୟା ୧୦୦୦ରୁ ଅଧିକ ହୋଇପାରେ । ହସ୍ପିଟାଲଗୁଡିକରେ ରକ୍ତର ଘୋର ଅଭାବ ରହିଥିବା ଖବର ସାମ୍ନାକୁ ଆସୁଛି । ମିଆଁମାରରେ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଚାରି ଆଡେ କୋଠାର ଧ୍ୱଂସାବଶେଷ, ଭଙ୍ଗା ସଡକ ଓ ଭଙ୍ଗା କୋଠା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଡ୍ୟାମ, ପୋଲ ମଧ୍ୟ ଭୁଶୁଡି ପଡିଛି ।