ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେବେଠୁ ରେସିପ୍ରୋକାଲ ଟାରିଫ ଘୋଷଣା କରିଥିଲେ, ତେବେଠୁ ସମଗ୍ର ଦୁନିଆରେ ହାହାକାର ସୃଷ୍ଟି ହୋଇଥିଲା । ଏହା ମଧ୍ୟରେ ବୁଧବାର ଟାରିଫକୁ ନେଇ ପୁଣି ବଡ ଘୋଷଣା କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଚୀନକୁ ଛାଡି ୭୫ରୁ ଅଧିକ ଦେଶକୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ବସ୍ତୁ ଉପରେ ତତ୍କାଳ ପ୍ରଭାବରୁ ୧୨୫ ଟାରିଫ ଲଗାଇବାକୁ ଘୋଷଣା କରିଛନ୍ତି ।
ଟ୍ରମ୍ପ ନିଜର ସଦ୍ୟତମ ନିଷ୍ପତ୍ତିରେ ଦୁନିଆର ୭୫ରୁ ଅଧିକ ଦେଶ ପାଇଁ ଟାରିଫରେ ୯୦ ଦିନର ଛାଡ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି, ଏହି ସବୁ ଦେଶ ଆମେରିକାର ବାଣିଜ୍ୟିକ ବିଭାଗ, ଟ୍ରେଜଜେରୀ ଓ ୟୁଏସଟିଆର ସହ କାରବାର ଓ ମୁଦ୍ରା ହେରଫେର ପରି ପ୍ରସଙ୍ଗରେ ଆଲୋଚନା ଆରମ୍ଭ କରିଛନ୍ତି । ତେଣୁ ଏହି ସବୁ ଦେଶ ଉପରେ କାରବାରର ପ୍ରଥମ ୯୦ ଦିନ ପର୍ଯ୍ୟନ୍ତ କେବଳ ୧୦ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଯିବ ।
ଏହା ସହିତ ଆମେରିକା ରାଷ୍ଟ୍ରପତି ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ପୋଷ୍ଟ କରି କହିଛନ୍ତି ଯେ, ଚୀନ ଦୁନିଆର ବଜାର ପ୍ରତି ସମ୍ମାନ ପ୍ରଦର୍ଶନ କରି ନାହିଁ । ଏହି କାରଣରୁ ଆମେରିକା ଚୀନ ଉପରେ ଲଗାଇଥିବା ୧୦୪ ପ୍ରତିଶତ ଟାରିଫକୁ ବୃଦ୍ଧି କରି ୧୨୫ ପ୍ରତିଶତ କରିଛି । ଚୀନକୁ ଏବେ ହୃଦବୋଧ ହେବ ଯେ, ଆମେରିକା ସହ ଅନ୍ୟ ଦେଶକୁ ଲୁଟିବାର ସମୟ ଶେଷ ହୋଇ ସାରିଛି ।
ଏହା ପୂର୍ବରୁ ଚୀନ ପାଲଟା ଜବାବ ଦେଇ ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୮୪ ପ୍ରତିଶତ ପର୍ୟ୍ୟନ୍ତ ଟ୍ୟାକ୍ସ ବଢାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନର ବସ୍ତୁ ଉପରେ ୧୦୪ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବା ପରେ ଚୀନ ଏହି ପଦକ୍ଷେପ ଉଠାଇଛି। ଚୀନର ଅର୍ଥ ମନ୍ତ୍ରଣାଳୟ ଗୁରୁବାରଠୁ ସମସ୍ତ ଆମେରିକା ବସ୍ତୁ ଉପରେ ଏହି ଟାରିଫ ଲଗାଇବାକୁ ଘୋଷଣା କରିଛି। ପୂର୍ବେ ଚୀନ ଆମେରିକାରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ ୩୪ ପ୍ରତିଶତ ଶୁଳ୍କ ଲଗାଉଥିଲା।