ଢାକା: ଶେଖ୍ ହସିନା ସରକାର ଉଚ୍ଛେଦ ହେବା ପରଠାରୁ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୋଧରେ କ୍ରମାଗତ ହିଂସା ଜାରି ରହିଛି। ଉତ୍ତ୍ୟକ୍ତ ଜନତା ସଂଖ୍ୟାଲଘୁଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରୁଛନ୍ତି। ଅନ୍ୟପକ୍ଷରେ ଚିନ୍ମୟ ପ୍ରଭୁଙ୍କୁ ଗିରଫ କରିବା ପରେ ଜଣେ ଓକିଲଙ୍କୁ ହତ୍ୟା ଏବଂ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଯୁଗ୍ମ ବାହିନୀ ଅତି କମ୍ରେ ୩୦ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ସରକାରୀ ଓକିଲଙ୍କୁ ହତ୍ୟା କରିଥିବା ନେଇ ପୁଲିସ ୬ ଜଣଙ୍କ ବିରୋଧରେ ଅଭିଯୋଗ ଆଣିଛି।
ପୁଲିସର ଏହି କାର୍ଯ୍ୟାନୁଷ୍ଠାନ ସଂଖ୍ୟାଲଘୁଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଚିନ୍ମୟ ଦାସଙ୍କ ଗିରଫଦାରୀକୁ ବିରୋଧ କରି ଇସ୍କନ ବାଂଲାଦେଶ କର୍ତ୍ତୃପକ୍ଷଙ୍କୁ ଦେଶରେ ହିନ୍ଦୁମାନଙ୍କ ପାଇଁ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଅନୁରୋଧ କରିଛନ୍ତି।
ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ଚିନ୍ମୟ ଦାସଙ୍କୁ ଜାମିନ ନାମଞ୍ଜୁର ହେବା ପରେ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ସରକାରୀ ଓକିଲ ସୈଫୁଲ ଇସଲାମ ଅଲିଫଙ୍କ ମୃତ୍ୟୁ ଘଟିଥିଲା। ଏହି ସଂଘର୍ଷରେ ଅତି କମରେ ୧୦ ଜଣ ଆହତ ହୋଇଛନ୍ତି। ସଂଘର୍ଷରେ ଇସଲାମ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ପ୍ରାଥମିକ ତଦନ୍ତ ପରେ ଅଟକ ବ୍ୟକ୍ତିମାନଙ୍କୁ ବିଚାର ପାଇଁ ଗିରଫ କରାଯିବ ଏବଂ ସେମାନଙ୍କ ସମ୍ପୃକ୍ତି ଜଣାପଡ଼ିଲେ ଅଧିକ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇପାରେ ବୋଲି ଜଣେ ପୁଲିସ ମୁଖପାତ୍ର କହିଛନ୍ତି।
ମେଟ୍ରୋପଲିଟାନ ପୁଲିସର ଅତିରିକ୍ତ କମିଶନର କାଜି ମହମ୍ମଦ ତାରିକ୍ ଅଜିଜ୍ କହିଛନ୍ତି ଯେ ସେନା ଏବଂ ଅର୍ଦ୍ଧସାମରିକ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଯବାନ ଏବଂ ପୋଲିସର ମିଳିତ ଚଢ଼ାଉରେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି।
ଅଧିକ ପଢ଼ନ୍ତୁ: ତୀର୍ଥଯାତ୍ରୀଙ୍କୁ ଗାଡ଼ିରେ ନେଇଗଲା ସେନା