ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ହମାସ, ହିଜବୁଲ୍ଲା ସହ ଜାରି ଇସ୍ରାଏଲର ସଂଘର୍ଷ ଚଳିତ ସପ୍ତାହ ମଙ୍ଗଳବାର ନୂତନ ମୋଡ ନେଇଛି । ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାର ନିପାତ ପରେ ପ୍ରତିଶୋଧ ପରାୟଣ ହୋଇ ଇରାନ ପରି ବଡ ଦେଶ ଇସ୍ରାଏଲ ଉପରେ ୨୦୦ କ୍ଷେପଣାସ୍ତ୍ର ମାଡ କରିଛି । ଇସ୍ରାଏଲର ଆଇରନ ଡୋମ ସିଷ୍ଟମ ଏହି ଆକ୍ରମଣକୁ ମଝି ଆକାଶରେ ହିଁ ନିଷ୍ପ୍ରଭ କରି ଦେଇଛି । ଏବେ ଇରାନକୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତି କରୁଛି ଇସ୍ରାଏଲ । ଇସ୍ରାଏଲର ଗୁଇନ୍ଦା ମୁତାବକ କିଛି ଦିନରେ ହିଁ ଜୋରଦାର ଆକ୍ରମଣ ହୋଇପାରେ । ସଂପ୍ରତି ଇସ୍ରାଏଲ ଇରାନକୁ କେମିତି ଜବାବ ଦିଆଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତିରେ ଜୁଟି ଯାଇଛି ।
ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଇସ୍ରାଏଲ ପକ୍ଷରୁ ଇରାନର ପାୱାର ଷ୍ଟେସନ ଉପରେ ଆକ୍ରମଣ ହୋଇପାରେ । ଏମିତି ହେଲେ ଇରାନର ବ୍ୟାପକ ଅଞ୍ଚଳ ଅନ୍ଧକାରମୟ ହୋଇ ଯିବ । ଏମିତି ସ୍ଥିତିରେ ଇସ୍ରାଏଲର ଆକ୍ରମଣ ଆହୁରି ଜୋରଦାର ହୋଇପାରେ । କେବଳ ଏତିକି ନୁହେଁ ଇସ୍ରାଏଲ ପକ୍ଷରୁ ଇରାନର ତୈଳ ଉତ୍ପାଦନ ଠିକଣା ଉପରେ ଆକ୍ରମଣ ହେବାର ସମ୍ଭାବନା ରହିଛି । ଯଦି ଏମିତି ହୁଏ ତେବେ ସ୍ଥିତି ଆହୁରି ଭୟାବହ ହୋଇଯିବ । କାରଣ ଇରାନ ପୂର୍ବରୁ ଧମକ ଦେଇ ସାରିଛି ଯେ, ଯଦି ଇସ୍ରାଏଲ ପାଲଟା ଆକ୍ରମଣ କରେ ତେବେ ତାର ସମସ୍ତ ଠିକଣାରେ ହମଲା କରାଯିବ ।
ଇସ୍ରାଏଲ କହିଛି ଯେ, ଯଦି ଇରାନ ଆମ ପକ୍ଷରୁ ଆକ୍ରମଣ ପରେ ପ୍ରତି ଜବାବ ଦିଏ ତେବେ ତାର ଇନଫ୍ରାଷ୍ଟ୍ରକଚର ଓ ଏନର୍ଜି ସେକ୍ଟର ଉପରେ ଆକ୍ରମଣ କରାଯିବ । ଇସ୍ରାଏଲର କହିବା କଥା ଆମେ ଇରାନର ଅନ୍ୟ କିଛି ରଣନୈତିକ ଆଡ୍ଡା ଉପରେ ମଧ୍ୟ ଆକ୍ରମଣ କରି ପାରୁ । ଏହିପରି ଭାବେ ପଶ୍ଚିମ ଏସିଆରେ ଯୁଦ୍ଧର ଏକ ନୂତନ ମୋର୍ଚ୍ଚା ଖୋଲି ଯାଇଛି । ବିଶେଷ କରି ଆମେରିକା ପକ୍ଷରୁ ଅତିରିକ୍ତ ସୈନ୍ୟ ପଠାଯିବ, ଫ୍ରାନ୍ସ ପକ୍ଷରୁ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ଉଚିତ୍ ଦର୍ଶାଯିବା ଉତ୍ତେଜନାକୁ ଆହୁରି ବଢାଇ ଦେଇଛି । ଲଢେଇ ହେଲେ ବିଶ୍ୱ ଅନେକ ଗୋଷ୍ଠୀରେ ବିଭାଜନ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।