ୱାଶିଂଟନ୍/ବେଜିଂ: ଆମେରିକା ନିର୍ବାଚନ ଫଳାଫଳକୁ ନେଇ ଚୀନ୍ ସମ୍ମାନ ପ୍ରକାଶ କରିବା ସହ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିବା ବେଳେ ଏକ ସରକାରୀ ଖବରକାଗଜ ଚୀନ୍-ଆମେରିକା ସମ୍ପର୍କକୁ ଉପଯୁକ୍ତ ଭାବେ ମୁକାବିଲା କରିବା ପାଇଁ ବ୍ୟାବହାରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ଆହ୍ୱାନ ଦେଇଛି। ଏଥି ସହିତ ଚୀନ କହିଛି ଯେ, ଆମେରିକାର ଲୋକଙ୍କ ପସନ୍ଦକୁ ସମ୍ମାନ ଦିଆଯିବା ଉଚିତ।
ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ୍ରେ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ଦେଶ ମଧ୍ୟରେ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ରିୟାଦ ଆଶା ରଖିଛି ବୋଲି ରାଜକୁମାର ଟ୍ରମ୍ପଙ୍କୁ କହିଛନ୍ତି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆଲୋଚନା ଉଷ୍ମ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇବା ସହ ଇସ୍ରାଏଲର ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବାକୁ ରାଜି ହୋଇଥିଲେ। ବିଜୟ ପରେ ଟ୍ରମ୍ପଙ୍କୁ ଫୋନ୍ କରିଥିବା ପ୍ରଥମ ବିଶ୍ୱ ନେତାଙ୍କ ମଧ୍ୟରୁ ସେ ଅନ୍ୟତମ ବୋଲି ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି।
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି। ଫକ୍ସ ନ୍ୟୁଜ୍ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ସଂଖ୍ୟାଗରିଷ୍ଠତା ସଂଖ୍ୟା ଅତିକ୍ରମ କରିଛନ୍ତି। ଟ୍ରମ୍ପଙ୍କ ପାଖରେ ୨୭୭ ଇଲେକ୍ଟୋରାଲ କଲେଜ ଭୋଟ ଥିବା ବେଳେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କ ପାଖରେ ୨୨୬ ଇଲେକ୍ଟୋରାଲ କଲେଜ ଭୋଟ ରହିଛି। ଅନିଶ୍ଚିତତା ଏବଂ ଧ୍ରୁବୀକରଣ ମଧ୍ୟରେ ଆମେରିକା ନିର୍ବାଚନ ୨୦୨୪ ଅନୁଷ୍ଠିତ ହୋଇଛି। ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ସମ୍ଭାବନା ଥିଲା। ତେବେ ସେ ଟ୍ରମ୍ପଙ୍କ ଠାରୁ ବହୁ ପଛରେ ରହିଛନ୍ତି। ଡୋନାଲ୍ଡ ଟ୍ରମ୍ପ ତୃତୀୟ ଥର ପାଇଁ ହ୍ୱାଇଟ ହାଉସରେ ପହଞ୍ଚିବେ। ଟ୍ରମ୍ପ ଆସନ୍ତା ଜାନୁଆରି ୨୦ରେ ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।
ଅଧିକ ପଢ଼ନ୍ତୁ: ବିଜୟ ପରେ ଆମେରିକୀୟଙ୍କୁ ଧନ୍ୟବାଦ ଦେଲେ ଟ୍ରମ୍ପ