ଇସଲାମାବାଦ: ଭାରତର କ୍ଷେପଣାସ୍ତ୍ର ସାମର୍ଥ୍ୟକୁ ବିଶ୍ୱ ସ୍ୱୀକାର କରୁଛି। ଭାରତ ସ୍ୱଦେଶୀ ଜ୍ଞାନକୌଶଳରେ ଆନ୍ତର୍ମହାଦେଶୀୟ କ୍ଷେପଣାସ୍ତ୍ର ନିର୍ମାଣ କରିଛି ଯାହା ଏସିଆ ଏବଂ ୟୁରୋପର କିଛି ଅଂଶରେ ଲକ୍ଷ୍ୟଭେଦ କରିପାରିବ। ଇତିମଧ୍ୟରେ ପାକିସ୍ତାନର ଜଣେ ପ୍ରତିରକ୍ଷା ବିଶେଷଜ୍ଞ ଦାବି କରିଛନ୍ତି ଯେ ଭାରତ ଏକ ନୂତନ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି ଯାହା ପାଶ୍ଚାତ୍ୟ ଦେଶ, ଆମେରିକା ଏବଂ ବ୍ରିଟେନକୁ ମଧ୍ୟ ଟାର୍ଗେଟ କରିପାରିବ। ଇସଲାମାବାଦର କାଏଦ-ଏ-ଆଜମ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ପଲିଟିକ୍ସ ଆଣ୍ଡ ଇଣ୍ଟରନ୍ୟାସନାଲ ରିଲେସନ୍ସର ପ୍ରତିରକ୍ଷା ବିଶ୍ଳେଷକ ପ୍ରଫେସର ଜାଫର ନୱାଜ ଜସପାଲ କହିଛନ୍ତି ଯେ ଭାରତ 'ସୂର୍ଯ୍ୟ' ନାମକ ଏକ ଆନ୍ତର୍ମହାଦେଶୀୟ ବ୍ୟାଲେଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ୍) ବିକଶିତ କରୁଛି।
ୱାର୍ଲ୍ଡ ଇକୋ ନ୍ୟୁଜ୍ ସହ କଥାବାର୍ତ୍ତା କରି ପ୍ରଫେସର ଜସପାଲ ଦାବି କରିଛନ୍ତି ଯେ ପ୍ରସ୍ତାବିତ ସୂର୍ଯ୍ୟ ଆଇସିବିଏମର ରେଞ୍ଜ ୧୦,୦୦୦ରୁ ୧୨,୦୦୦ କିଲୋମିଟର ରହିବ, ଅର୍ଥାତ୍ ଆମେରିକା ମଧ୍ୟ ଭାରତର କ୍ଷେପଣାସ୍ତ୍ର ସୀମା ମଧ୍ୟରେ ରହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି କ୍ଷେପଣାସ୍ତ୍ରର ବିକାଶ ଇସଲାମାବାଦ ଅପେକ୍ଷା ୱାଶିଂଟନ, ୟୁରୋପ ଏବଂ ରୁଷିଆ ପାଇଁ ଚିନ୍ତାର ବିଷୟ ହେବା ଉଚିତ କାରଣ ଭାରତର ବର୍ତ୍ତମାନର କ୍ଷେପଣାସ୍ତ୍ର ପାକିସ୍ତାନର ଯେକୌଣସି ସ୍ଥାନରେ ଲକ୍ଷ୍ୟଭେଦ କରିପାରିବ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ଡିଆରଡିଓ ସୂର୍ଯ୍ୟ ଆଇସିବିଏମ୍ ପ୍ରକଳ୍ପ ରେ କାମ କରୁଛି ବୋଲି ବାରମ୍ବାର ଅସ୍ୱୀକାର କରିଆସୁଛି। ଡିଆରଡିଓ ଅଧିକାରୀଙ୍କ ପୂର୍ବ ବୟାନରେ ଏହା ସ୍ପଷ୍ଟ କରାଯାଇଛି ଯେ ରଣନୈତିକ ଆବଶ୍ୟକତା ଅନୁଯାୟୀ ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନର ଅଗ୍ନି ସିରିଜ୍ କ୍ଷେପଣାସ୍ତ୍ରଠାରୁ ଅଧିକ ଦୂରରେ ଥିବା କୌଣସି ଆଇସିବିଏମ୍ ପ୍ରକଳ୍ପ ବିଷୟରେ ଉଲ୍ଲେଖ ନାହିଁ।
ଅଗ୍ନି-୫ ଏବେ ଭାରତର ଅସ୍ତ୍ରଶସ୍ତ୍ରରେ ସବୁଠାରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର। ଏହାର ରେଞ୍ଜ ପାଖାପାଖି ୫୫୦୦ରୁ ୬୦୦୦ କିଲୋମିଟର, ଯାହା ଏହାକୁ ସମଗ୍ର ଏସିଆ ଏବଂ ୟୁରୋପର ଅନେକ ଅଞ୍ଚଳକୁ ଟାର୍ଗେଟ କରିବାର କ୍ଷମତା ଦେଇଥାଏ। ଅଗ୍ନି-୫ ପ୍ରକଳ୍ପ ଭାରତର ପ୍ରତିରୋଧକୁ ବଢ଼ାଇବା ପାଇଁ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଚୀନ୍ ବିରୋଧରେ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଏହାକୁ ବିକଶିତ କରାଯାଇଛି।
ଅଧିକ ଖବର: ପ୍ରଧାନବିଚାରପତି ଭାବେ ନେଲେ ଶପଥ ନେଲେ ଜଷ୍ଟିସ ସଂଜୀବ ଖନ୍ନା