ବିଶ୍ୱର ପ୍ରଥମ ଦେଶ ଭାବେ ଧୂମପାନ ନିଷେଧ କଲା ମାଳଦ୍ଵୀପ। ଏକ ନିର୍ଦ୍ଧିଷ୍ଟ ଯୁବଗୋଷ୍ଟି ପାଇଁ ଏହି ନିୟମ ଆଣିଛନ୍ତି ସରକାର। ମାଳଦ୍ୱୀପରେ ନଭେମ୍ବର ୧ ତାରିଖରୁ ଏକ ନୂତନ ସିଗାରେଟ୍ ନିୟମ ଲାଗୁ କରିଛି, ଯାହା ୨୦୦୭ କିମ୍ବା ତା'ପର ଜନ୍ମ ହୋଇଥିବା ଲୋକଙ୍କ ପାଇଁ ତମାଖୁ ବିକ୍ରୟ ଏବଂ ସେବନକୁ ନିଷେଧ କରିଛି। ଏହି ନୂତନ ନିୟମର ବିଶେଷତ୍ୱ ହେଉଛି ଏହା ମାଳଦ୍ୱୀପ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ ହେବ, ଯାହା ସିଧାସଳଖ ଭାରତୀୟ ପର୍ଯ୍ୟଟକଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ। ସିଗାରେଟ୍ ଧୂମପାନ ସମ୍ପର୍କରେ ନିୟମ ପ୍ରଣୟନ କରି ମାଳଦ୍ଵୀପ ଏବେ ସାରା ବିଶ୍ୱରେ ଖବରର ଶିରୋନାମା ସୃଷ୍ଟି କରିଛି।
ମାଳଦ୍ୱୀପର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶରେ ଇଲେକ୍ଟ୍ରୋନିକ୍ ସିଗାରେଟ୍ ଏବଂ ଭେପିଂ ଉତ୍ପାଦ ଉପରେ ସମ୍ପୂର୍ଣ୍ଣ ନିଷେଧ ଜାରି ରହିବ। ଏହି ଉତ୍ପାଦଗୁଡ଼ିକର ଆମଦାନୀ, ବିକ୍ରୟ, ବଣ୍ଟନ, ରଖିବା ଏବଂ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ। ଏହି ନିୟମ ସମସ୍ତ ବୟସର ଲୋକଙ୍କ ପାଇଁ ସମାନ ଭାବରେ ପ୍ରଯୁଜ୍ୟ।
ଆଇନ ଉଲ୍ଲଂଘନ ପାଇଁ କଠୋର ଜରିମାନା
ଯେକେହି ନାବାଳକଙ୍କୁ ତମାଖୁ ଉତ୍ପାଦ ବିକ୍ରୟ କରୁଥିବା ଧରାପଡ଼ିଲେ ତାଙ୍କୁ ୫୦,୦୦୦ ରୁଫିଆ (ପ୍ରାୟ ₹୨୮୪,୦୦୦) ର ବଡ଼ ଜରିମାନା ଦେବାକୁ ପଡିବ। ଯେକେହି ଭେପିଂ ଡିଭାଇସ୍ ବ୍ୟବହାର କରୁଥିବା ଧରାପଡ଼ିଲେ ତାଙ୍କୁ ୫୦୦୦ ରୁଫିଆ (ପ୍ରାୟ ₹୨୮,୪୧୨) ର ଜରିମାନା ଦେବାକୁ ପଡିବ।
ନିୟମରେ କ’ଣ ରହିଛି?
ନିୟମ ଅନୁଯାୟୀ, ୨୦୦୭ କିମ୍ବା ପରବର୍ତ୍ତୀ ସମୟରେ ଜନ୍ମିତ ବ୍ୟକ୍ତିମାନେ ତମାଖୁ ଉତ୍ପାଦ ବ୍ୟବହାର କିମ୍ବା କ୍ରୟ କରିପାରିବେ ନାହିଁ। ଆଦେଶରେ କୁହାଯାଇଛି ଯେ ଯଦି କୌଣସି ବ୍ୟକ୍ତିଙ୍କ ବୟସ ବିଷୟରେ କୌଣସି ସନ୍ଦେହ ଥାଏ, ତେବେ ପ୍ରଥମେ ସେମାନଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିବା ଆବଶ୍ୟକ ଯାହା ଦ୍ୱାରା ସେମାନେ ଆଇନ ଅନୁଯାୟୀ ସିଗାରେଟ୍ କିଣିବା କିମ୍ବା ବ୍ୟବହାର କରିବାକୁ ଯୋଗ୍ୟ କି ନାହିଁ ତାହା ନିଶ୍ଚିତ ହୋଇପାରିବ। ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଏହି ନିଷେଧ ସମସ୍ତ ପ୍ରକାରର ତମାଖୁ ଉତ୍ପାଦ ପାଇଁ ପ୍ରଯୁଜ୍ୟ ଏବଂ ଖୁଚୁରା ବ୍ୟବସାୟୀମାନେ ବିକ୍ରୟ ପୂର୍ବରୁ ବୟସ ଯାଞ୍ଚ କରିବାକୁ ବାଧ୍ୟତା କରାଯାଇଛି।
WHO ଅନୁଯାୟୀ, ପ୍ରତିବର୍ଷ ବିଶ୍ୱରେ ଧୂମପାନ ୭୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟେ। ମାଳଦ୍ୱୀପରେ ତମାଖୁ ସେବନ ହାର ମଧ୍ୟ ଚିନ୍ତାଜନକ। ୧୫ରୁ ୬୯ ବର୍ଷ ବୟସର ମାଳଦ୍ୱୀପର ଏକ ଚତୁର୍ଥାଂଶରୁ ଅଧିକ ଲୋକ ତମାଖୁ ବ୍ୟବହାର କରନ୍ତି। ୧୩ ରୁ ୧୫ ବର୍ଷ ବୟସର କିଶୋରମାନଙ୍କ ମଧ୍ୟରେ ଏହି ହାର ପ୍ରାୟ ଦ୍ୱିଗୁଣିତ ଥିଲା, ଯାହା ସରକାରଙ୍କୁ କଠୋର ପଦକ୍ଷେପ ନେବାକୁ ବାଧ୍ୟ କରିଥିଲା।