ମୁୁମ୍ବାଇ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । କମଳା ହ୍ୟାରିସଙ୍କୁ ହରାଇ ଟ୍ରମ୍ପ ଦ୍ୱିତୀୟ ଥର ଆମରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ ୨୭୭ ଓ କମଳା ହ୍ୟାରିସଙ୍କୁ ୨୨୬ ଭୋଟ୍ ମିଳିଛି । ଏଥିସହିତ ଆମେରିକାର ୪୭ତମ ରାଷ୍ଟ୍ରପତି ହୋଇଛନ୍ତି ଟ୍ରମ୍ପ । ଆଉ ୪ ବର୍ଷ ପରେ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଟ୍ରମ୍ପ । ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ବିଜୟୀ ଭାଷଣ ଦେଇଛନ୍ତି । ଏହି ବିଜୟ ପାଇଁ ଟ୍ରମ୍ପ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି, ଆମେରିକାବାସୀ ମୋତେ ବିଶ୍ୱାସକୁ ନେଇଥିବାରୁ ଧନ୍ୟବାଦ । ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ । ବିଜୟ ଯାତ୍ରାପଥ ଆଦୌ ସହଜ ନ ଥିଲା । ପତ୍ନୀ ମେଲାନିଆ ଓ ପରିବାର ସଦସ୍ୟଙ୍କୁ ବି ଟ୍ରମ୍ପ ଧନ୍ୟବାଦ ଜଣାଇଛନ୍ତି ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ମୁଁ ଆପଣଙ୍କ ପରିବାର ଓ ଭବିଷ୍ୟତ ପାଇଁ ଲଢିବି । ଆମକୁ ସୁଇଙ୍ଗ ଷ୍ଟେଟର ମତଦାତାଙ୍କ ମଧ୍ୟ ସମର୍ଥନ ମିଳିଛି । ଆଗାମୀ ଚାରି ବର୍ଷ ଆମେରିକା ପାଇଁ ସ୍ୱର୍ଣ୍ଣିମ ହେବାକୁ ଯାଉଛି । ଜନତା ଆମକୁ ବହୁତ ମଜବୁତ ଜନାଦେଶ ଦେଇଛି । ଆମେରିକାର ୪୭ତମ ରାଷ୍ଟ୍ରପତି ହେବାକୁ ଯାଉଥିବା ଡୋନାଲ୍ଟ ଟ୍ରମ୍ପ କହିଛନ୍ତି, ଆମେରିକାବାସୀଙ୍କୁ ବହୁତ ଧନ୍ୟବାଦ । ଆମେ ନିଜର ବର୍ଡରକୁ ଆହୁରି ମଜବୁତ କରିବା । ଦେଶର ସମସ୍ତ ସମସ୍ୟା ମିଶିକି ଦୂର କରିବା ।
ଏହା ସହିତ ଟ୍ରମ୍ପ ଟେସଲାର ସିଇଓ ଏଲନ ମସ୍କଙ୍କ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଏହା ଏମିତି ଏକ ରାଜନୈତିକ ବିଜୟ, ଯାହା ଆମେରିକା ଏହା ପୂର୍ବରୁ କେବେ ଦେଖି ନ ଥିଲା । ମୁଁ ପ୍ରତିଦିନ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଲଢେଇ କରିବି । ମୁଁ ସେ ପର୍ଯ୍ୟନ୍ତ ରୋକିବି ନାହିଁ ଯେ ପର୍ଯ୍ୟନ୍ତ ଆମର ପିଲାଙ୍କ ପାଇଁ ସୁରକ୍ଷିତ, ମଜବୁତ ଓ ସକ୍ଷମ ଆମେରିକା ନିର୍ମାଣ ନ ହୋଇଛି । ଏହା ପୂର୍ବରୁ ଟ୍ରମ୍ପ ୨୦୧୬ରେ ହିଲେରୀ କ୍ଲିଣ୍ଟନଙ୍କ ବିରୋଧରେ ନିର୍ବାଚନ ଜିତିଥିଲେ ।