ନୂଆଦିଲ୍ଲୀ: କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପରଠୁ ମାହୋଲ ଉତ୍ତେଜନାପୂର୍ଣ୍ଣ ରହିଛି । ଦେଶରେ ହିନ୍ଦୁଙ୍କ ପ୍ରତି ମାହୋଲ ବିଗିଡିବାରେ ଲାଗିଛି । ଦେଶରେ ବସବାସ କରୁଥିବା ହିନ୍ଦୁଙ୍କ ମଧ୍ୟରେ ନିଜର ସୁରକ୍ଷାକୁ ନେଇ ଭୟର ବାତାବରଣ ଖେଳି ଯାଇଛି । ରବିବାର ଭାରତୀୟ ଦୂତାବାସ ପକ୍ଷରୁ ଏକ ଶିବିର ଅଲବର୍ଟାରେ ଆୟୋଜନ ହେବାର ଥିଲା । ମାତ୍ର ହିଂସାର ଡର ଥିବାରୁ ଏହାକୁ ବାତିଲ କରି ଦିଆଯାଇଛି ।
ଏହି ଶିବିର ଭେଙ୍କୁଭର ସ୍ଥିତ ଭାରତୀୟ ଦୂତାବାସରେ ହେବାର ଥିଲା । ଏହି ଘଟଣାରେ ହିନ୍ଦୁ ସମୁଦାୟ ମଧ୍ୟରେ ଭୟର ମାହୋଲ ରହିଛି । ଏକ ସର୍ଭେ ଅନୁସାରେ ଅଧିକାଂଶ ହିନ୍ଦୁଙ୍କ କହିବା କଥା ସେମାନେ ନିଜର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । କାରଣ କାନାଡା ସରକାରଙ୍କୁ ନେଇ ହିନ୍ଦୁଙ୍କ ଭରସା ଉଠିବାରେ ଲାଗିଛି ।
ଗତ ଦିନରେ ମନ୍ଦିରରେ ହୋଇଥିବା ଆକ୍ରମଣ ଏହି ଚିନ୍ତାକୁ ଆହୁରି ବଢାଇ ଦେଇଛି । ସଦ୍ୟତମ ଖବର ଅନୁଯାୟୀ ଅଲବର୍ଟାରେ ଯେଉଁଠି ଶିବିର ହେବାର ଥିଲା, ସେଠାରେ ଖାଲିସ୍ତାନୀମାନେ ବିରୋଧ ପ୍ରଦର୍ଶନ କରିବାକୁ ପହଞ୍ଚିଥିଲେ । ସେଠାରେ ସ୍ଥାନୀୟ ପୋଲିସ ସେମାନଙ୍କୁ କିଛି ଦୂରରୁ ଅଟକାଇ ଦେଇଥିଲେ । ରବିବାର ରାତିରେ ଖାଲିସ୍ତାନୀ ସଂଗଠନ ଶିଖ ଫର ଜଷ୍ଟିସ ପକ୍ଷରୁ କୁହାଯାଇଥିଲା ଯେ, ଆମେ ଭାରତୀୟ ଦୂତାବାସ ପକ୍ଷରୁ ହେବାକୁ ଥିବା ଶିବିରକୁ ବିରୋଧ କରିବୁ ।
ଅନ୍ୟପଟେ ଟୋରଣ୍ଟୋ ସ୍ଥିତ ଭାରତୀୟ ଦୂତାବାସ ଗତ ସପ୍ତାହରେ ଘୋଷଣା କରିଥିଲେ ଯେ, ଆଗାମୀ ଦିନରେ ହେବାକୁ ଥିବା ଶିବିର ରଦ୍ଦ କରାଯିବ । ଦୂତାବାସର କହିବା କଥା ଏମିତି ନିଷ୍ପତ୍ତି ଏଥିପାଇଁ ନିଆଯାଇଛି କାରଣ କାନାଡା ସରକାର ସୁରକ୍ଷାକୁ ନେଇ କୌଣସି ଭରସା ଦେଇ ନାହାନ୍ତି । ତେଣୁ ସ୍ଥିତିକୁ ଦୃଷ୍ଟିରେ ରଖି ଆମେ କିଛି ଶିବିର ରଦ୍ଦ କରୁଛୁ । ଏହା ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ କାନାଡାର ସର୍ଭେ ଅନୁଯାୟୀ, ହିନ୍ଦୁଙ୍କ ମଧ୍ୟରେ ଅସନ୍ତୋଷର ମାହୋଲ ରହିଛି । କାନାଡାର ୯୮.୫ ପ୍ରତିଶତ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହୋଇଥିବା ଖବର ବିଷୟରେ ଅବଗତ ଅଛନ୍ତି ।