ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଲେବାନନର ଉଗ୍ରବାଦୀ ସଂଗଠନ ହେଜବୁଲ୍ଲାର ବଡ ଧରଣର ଆକ୍ରମଣ । ଇସ୍ରାଏଲର ନର୍ଥ ସିଟି ଉପରେ ୧୬୫ରୁ ଅଧିକ ମିସାଇଲ ମାଡ କରିଛି ହେଜବୁଲ୍ଲା ।ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଇସ୍ରାଏଲର ବାୟୁ ରକ୍ଷା ପ୍ରଣାଳୀ ଶିନ ବେଟ୍ ଓ ଆଇରନ ଡୋମ ମଧ୍ୟ ଅନେକ ମିସାଇଲକୁ ରୋକିବାରେ ବିଫଳ ହୋଇଛି । ହେଜବୁଲ୍ଲା ହାଇଫା ସହର ଉପରେ ୯୦ରୁ ଅଧିକ ମିସାଇଲ ମାଡ କରିଛି । ଏପରିକି ଗାଲିଲିରେ ପାଖାପାଖି ୭୦ ରକେଟ୍ ନିକ୍ଷେପ କରିଛି ଲେବାନନ ।
ଆଇଡିଏଫ ନିଜର ବିବୃତ୍ତିରେ କହିଛି ଯେ,ଏହି ଆକ୍ରମଣରେ ଜଣେ ଶିଶୁ ସମେତ ଅତି କମରେ ୭ ଜଣ ଆହତ ହୋଇଛନ୍ତି । ଆକ୍ରମଣ ପରେ ରାସ୍ତାରେ ଥିବା ଅନେକ ଗାଡିରେ ନିଆଁ ଲାଗି ଯାଇଛି । ଜନବହୁଳପୂର୍ଣ୍ଣ ଅଞ୍ଚଳରେ ଅନେକ କୋଠା ଧ୍ୱସ୍ତ ହୋଇ ଯାଇଛି । ଟାଇମ୍ସ ଅଫ୍ ଇସ୍ରାଏଲ୍ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ସହର ଉପରେ ହେଜବୁଲ୍ଲାର ଆକ୍ରମଣ ଏମିତି ସମୟରେ କରିଛି ଯେତେବେଳେ ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଗିଦିୟନ୍ ସାର ଏକ ବିବୃତ୍ତିରେ କହିଥିଲେ ଯେ ଲେବାନନ୍ ସହ ଅସ୍ତ୍ରବିରତି ଉଲ୍ଲଂଘନ ଦିଗରେ କିଛି ଅଗ୍ରଗତି ହୋଇଛି।
ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଅନୁଯାୟୀ ଏହି ଆକ୍ରମଣରେ ଗାଲିଲି ଉପରେ ପ୍ରାୟ ୫୦ ରକେଟ ମାଡ଼ କରାଯାଇଛି, ସେଥିରୁ କିଛି ବାୟୁ ପ୍ରତିରକ୍ଷା ଦ୍ୱାରା ଅଟକାଯାଇଥିବା ବେଳେ ଆଉ କିଛି କାମିଲ ଅଞ୍ଚଳ ତଥା ନିକଟବର୍ତ୍ତୀ ସହରଗୁଡିକରେ ପଡିଥିଲା। ଏଥି ସହିତ ଇସ୍ରାଏଲର ଉତ୍ତର ସହର ହାଇଫାରେ ୯୦ରୁ ଅଧିକ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା।
ଇସ୍ରାଏଲ ସହରଗୁଡ଼ିକରେ ଲେବାନନ ଅତି କମରେ ୧୬୫ ମିସାଇଲ ଏବଂ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ରଗୁଡିକ ସହରର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ପଡିଥିଲା। ଏହା ସହରବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।