ନୂଆଦିଲ୍ଲୀ: ବାଂଲାଦେଶରେ ଶେଖ ହସିନା ସରକାର ହଟିବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଗଠନ ହେବା ପରଠୁ ଭାରତ ସହ ସଂପର୍କ ତିକ୍ତତାପୂର୍ଣ୍ଣ ହୋଇ ଆସିଛି । ବାଂଲାଦେଶର ଅନ୍ତରୀଣ ସରକାର ପାକିସ୍ତାନ ଆଡକୁ ଢଳିବାରେ ଲାଗିଛନ୍ତି । ଏହା ମଧ୍ୟରେ ପାକିସ୍ତାନୀ ସେନାର ଏକ ଯୁଦ୍ଧଜାହାଜ ବାଂଲାଦେଶର ଚଟ୍ଟଗାଓଁରେ ପହଞ୍ଚିଛି । ୧୯୭୧ ଯୁଦ୍ଧ ପରଠୁ ପ୍ରଥମ ଥର ପାକିସ୍ତାନୀ ଯୁଦ୍ଧପୋତ ବାଂଲାଦେଶରେ ପହଞ୍ଚିଛି । କେବଳ ଏତିକି ନୁହେଁ ବାଂଲାଦେଶର ନୌସେନା ପାକିସ୍ତାନୀ ଯୁଦ୍ଧପୋତର ଜବରଦସ୍ତ ସ୍ୱାଗତ କରିଛି ।
ପାକିସ୍ତାନର ଯୁଦ୍ଧପୋତ ଚଟ୍ଟଗାଓଁ ପହଞ୍ଚିବା ଭାରତ ପାଇଁ ଏକ ବଡ ଆହ୍ୱାନ । ବିଶେଷଜ୍ଞଙ୍କ କହିବା କଥା ପାକିସ୍ତାନ କୌଣସି ପ୍ରକାରରେ ଭାରତର ଘେରାବନ୍ଦୀ କରିବାକୁ ଯୋଜନା କରୁଛି । ୧୯୭୧ ପରଠୁ ବାଂଲାଦେଶ ଓ ପାକିସ୍ତାନର ସମ୍ବନ୍ଧରେ ମଧୁରତା ନ ଥିଲା । ମାତ୍ର ଗତ କିଛି ମାସରେ ସବୁ କିଛି ବଦଳି ଯାଇଛି । ସଂପ୍ରତି ପାକିସ୍ତାନର ନୌସେନା ପ୍ରମୁଖ ଆଡମିରାଲ ନାବୀନ ଅଶରଫ ମଧ୍ୟ ବାଂଲାଦେଶ ଯାତ୍ରାରେ ଅଛନ୍ତି ।
ପାକିସ୍ତାନର ଟପ୍ ମିଲିଟାରୀ କମାଣ୍ଡର ଜେନେରାଲ ସାହିର ଶମଶାଦ ମିର୍ଜା କିଛି ଦିନ ପୂର୍ବେ ବାଂଲାଦେଶର ଯାତ୍ରାରେ ଯାଇଥିଲେ । ସେ ମହମ୍ମଦ ୟୁନୁସଙ୍କୁ ମଧ୍ୟ ଭେଟିଥିଲେ । ଆଫଗାନିସ୍ତାନ ସହ ସଂପର୍କ ବିଗିଡିବା ପରେ ପାକିସ୍ତାନ ଏବେ ବାଂଲାଦେଶ ନିକଟରେ ନୂତନ ସମ୍ଭାବନା ଖୋଜୁଛି । ଆଫଗାନିସ୍ତାନର ତାଲିବାନ ସରକାର ଓ ଭାରତ ମଧ୍ୟରେ ସମ୍ବନ୍ଧ ଲଗାତାର ମଜବୁତ ହେବାରେ ଲାଗିଛି । ଅନ୍ୟପଟେ ଆଫଗାନିସ୍ତାନ ସହ ପାକିସ୍ତାନର ତିକ୍ତତା ବଢିବାରେ ଲାଗିଛି । ଇସ୍ତାନବୁଲରେ ତୃତୀୟ ପର୍ଯ୍ୟାୟର ଶାନ୍ତି ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନି । ଏମିତି ସ୍ଥିତିରେ ବାଂଲାଦେଶର ନିକଟତର ହୋଇ ଭାରତକୁ ନାଲି ଆଖି ଦେଖାଇବାକୁ ଉଦ୍ୟମ କରୁଛି ପାକିସ୍ତାନ ।
Also read: ଭାରତରେ ରହୁଥିବା ଲୋକ ହିନ୍ଦୁ, ଭାଗବତ କହିଲେ- ମୁସଲିମ ମଧ୍ୟ ଆମ ପୂର୍ବଜଙ୍କ ସନ୍ତାନ