ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏକାଧିକ ସମସ୍ୟା ସୃଷ୍ଟି ହେଉଛି। ବିଶ୍ୱ ତାପମାତ୍ରା ବଢିବା ଯୋଗୁଁ ଅନେକ ଦେଶରେ ଥିବା ହିମଖଣ୍ଡ ଦ୍ରୁତଗତିରେ ତରଳିବାରେ ଲାଗିଛି। ବିଶେଷ କରି ଚୀନରେ ଏହି ଅବସ୍ଥା ପରିଲକ୍ଷିତ ହେଉଛି। ୧୯୬୦ରୁ ବର୍ତ୍ତମାନ ଯାଏଁ ଚୀନରେ ଥିବା ମୋଟ୍ ହିମଖଣ୍ଡର ୨୬ ପ୍ରତିଶତ ତରଳିଥିବା ଜଣାପଡ଼ିଛି। ଯାହା ଆଗକୁ ଚୀନ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।
ଚୀନର କେତେକ ଅଞ୍ଚଳରେ ପାନୀୟ ଜଳ ଅଭାବ ଦେଖାଯିବାର ସମ୍ଭାବନା ରହିଛି। ହିମଖଣ୍ଡରୁ ବାହାରୁଥିବା ମଧୁର ଜଳକୁ ଜୀନର କେତେକ ଅଞ୍ଚଳବାସୀ ପାନୀୟ ଜଳ ଭାବରେ ବ୍ୟବହାର କରିଥାନ୍ତି। ତେବେ ହିମଖଣ୍ଡ ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହେବା ଯୋଗୁଁ ଏସବୁ ଅଞ୍ଚଳରେ ପାନୀୟ ଜଳ ଏସବୁ ଅଞ୍ଚଳରେ ପାନୀୟ ଜଳ ଅଭାବ ଦେଖାଯିବା ସମ୍ଭାବନା ବଢିଯାଇଛି। ଏହା ବେଜିଂରେ ଏକ ବଡ଼ ମଧୁର ଜଳ ସଙ୍କଟ ଏବଂ ବଡ଼ ବିପର୍ଯ୍ୟୟ ସମ୍ଭାବନାକୁ ନେଇ ଚିନ୍ତା ସୃଷ୍ଟି କରିଛି।
ଚୀନର ଜିନଜିଆଙ୍ଗ, ସିଚୁଆନ୍, ୟୁନାନ, ଗାନସୁ, କ୍ୟୁନଗାଇ ଅଞ୍ଚଳରେ ହିମଖଣ୍ଡ ଦୃଶ୍ୟମାନ ହୋଇଥାଏ। ୧୯୬୦ରୁ ୧୯୮୦ ମସିହା ସୁଦ୍ଧା ଚୀନରେ ମୋଟ୍ ୫୯ହଜାର ସ୍କୋୟାର କିଲୋମିଟର ଅଞ୍ଚଳରେ ହିମଖଣ୍ଡ ଥିବା ବେଳେ ୨୦୨୦ ମସିହାରେ ଏହା ୪୬ ହଜାର ସ୍କୋୟାର କିଲୋମିଟରକୁ କମିଯାଇଛି। ବିଶ୍ୱର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ହିମଖଣ୍ଡଗୁଡ଼ିକ ତରଳି ଯାଉଥିବା ଜଣାପଡ଼ିଛି। ଅନ୍ୟପଟେ ହିମଖଣ୍ଡ ତରଳିବା ପ୍ରକ୍ରିୟାକୁ ଧିମା କରିବା ନିମନ୍ତେ ଚୀନ୍ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।
ଜୀବାଶ୍ମକୁ ଜାଳେଣୀ ଭାବେ ବ୍ୟବହାର ଏବଂ ବ୍ୟାପକ ଜଙ୍ଗଲକ୍ଷୟ ଯୋଗୁଁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଉଛି। କେବଳ ଚୀନ ନୁହେଁ ବିଶ୍ୱର ବିଭିନ୍ନ ସ୍ଥାନରେ ହିମଖଣ୍ଡ ତରଳିଯାଉଥିବାରୁ ଏନେଇ ଚିନ୍ତାବ୍ୟକ୍ତ କରିଛି ୟୁନେସ୍କୋ। ହିମଖଣ୍ଡ ତରଳିବା ଯୋଗୁଁ ଆଗାମୀ ଦିନରେ ଏସବୁ ଅଞ୍ଚଳରେ ଅର୍ଥନୈତିକ, ପରିବେଶ ଓ ସାମାଜିକ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଥିବା ୟୁନେସ୍କୋ ତରଫରୁ ଦର୍ଶାଯାଇଛି। ମଧୁର ଜଳ ଦିନକୁ ଦିନ କମୁଥିବା ବେଳେ ହିମଖଣ୍ଡ ତରଳିବା ଯୋଗୁଁ ଆଗାମୀ ଦିନରେ ଗୁରୁତର ଜଳାଭାବ ହୋଇପାରେ ବୋଲି ଆଶଙ୍କା କରିଛି ୟୁନେସ୍କୋ।