ସ୍କୁଲକୁ ପଢ଼ିବାକୁ ଯାଇଥିଲେ ହେଲେ ପଢ଼ା ମଝିରେ ଘଟିଲା ଅଘଟଣ । ହଠାତ୍ ସ୍କୁଲର ପ୍ରାୟ ୯୫ ଛାତ୍ରୀଙ୍କ ଗୋଡ଼ ଠିକ୍ ଭାବେ କାମ କଲାନି। ସେମାନେ ଠିକ୍ ଭାବ ଛିଡ଼ା ହେବାକୁ ସକ୍ଷମ ହୋଇ ପାରି ନ ଥିବା ବେଳେ ଆଉ ଚାଲି ବି ପାରିଲେନି। ପରୀକ୍ଷା ପରେ ସମସ୍ତ ଛାତ୍ରୀ ଏକ ସଙ୍ଗେ ପକ୍ଷାଘାତରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ରୋଗର ପ୍ରକୃତ କାରଣ ଜଣା ପଡିନଥିବା ବେଳେ କେନିଆ ସରକାର ଏହାର ଅନୁସନ୍ଧାନ କରୁଛନ୍ତି। ଏହି ରୋଗର ପ୍ରକୃତି ଏବଂ ଉତ୍ପତ୍ତି ବିଷୟରେ ଆଲୋକପାତ କରିବା ପାଇଁ ପ୍ରଭାବିତ ଛାତ୍ରୀମାନଙ୍କ ରକ୍ତ ନମୁନାକୁ କେନିଆ ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (କେଏମଆରଆଇ) କୁ ପଠାଯାଇଛି। ଆଫ୍ରିକା ନ୍ୟୁଜ୍ ଦ୍ୱାରା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଜାରେଡ୍ ଓବିରୋ କହିଛନ୍ତି ଯେ “ଶିଶୁମାନେ ଉପଯୁକ୍ତ ଚିକିତ୍ସା ପାଇବାକୁ ଶିକ୍ଷା ବିଭାଗ, କାଉଣ୍ଟି ସରକାର ଏବଂ ଜନସ୍ୱାସ୍ଥ୍ୟ ବିଭାଗ ପ୍ରତିଶ୍ରୁତିବଦ୍ଧ। ପ୍ରାରମ୍ଭରେ, ପ୍ରାୟ ୮୦ ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ୯୫ରେ ପହଞ୍ଚିଛି। ଏପରି ଏକ ଅଭାବନୀୟ ଘଟଣା କେନିଆର ସେଣ୍ଟ ଥେରେସା ହାଇସ୍କୁଲରେ ଘଟିଛି। ଯାହାର ଭିଡିଓ ଏବେ ଭାଇରାଲ ହେଉଛି।
ସୂଚନାନୁଯାୟୀ, ପ୍ରାୟ ସପ୍ତାହେ ପୂର୍ବେ ସବୁ ଦିନ ପରି ସେଣ୍ଟ ଥେରେସା ହାଇସ୍କୁଲରେ ପାଠ ପଢ଼ା ଚାଲିଥିଲା। ଏହି ସମୟରେ ହଠାତ୍ ଜଣକ ପରେ ଜଣେ ସ୍କୁଲର ୯୫ ଛାତ୍ରୀ ନିଜ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏପରିକି ସେମାନେ ଚାଲିବାକୁ ସକ୍ଷମ ହୋଇ ପାରି ନ ଥିଲେ। ଏହାପରେ ତୁରନ୍ତ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନେ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଜଣାପଡ଼ିଥିଲା। ଏକ ସଙ୍ଗେ କିପରି ଏତେ ସଂଖ୍ୟକ ଛାତ୍ରୀ ପକ୍ଷାଘାତର ଶିକାର ହେଲେ ତାହାକୁ ନେଇ ବିଶେଷଜ୍ଞମାନେ ବି ଚିନ୍ତାରେ ପଡ଼ିଛନ୍ତି। ଅଚାନକ ଏହି ଛାତ୍ରୀମାନଙ୍କ ଗୋଡ଼ ଗତିହୀନ ହୋଇଯାଇଥିବା ବେଳେ ସେଥିରେ ଆଉ ଚାଲିବାକୁ ଶକ୍ତି ନାହିଁ । ଚିକିତ୍ସା ଚାଲିଥିଲେ ବି ସେମାନେ ଆଉ ଚାଲିବାକୁ ସକ୍ଷମ ହେବେ ନାହିଁ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ସମ୍ପୃକ୍ତ ଛାତ୍ରୀମାନଙ୍କ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି। ଏନେଇ ଅଧିକାରୀ କହିଛନ୍ତି, ସମ୍ପୃକ୍ତ ଛାତ୍ରୀମାନଙ୍କ ବିଭନ୍ନ ପରୀକ୍ଷା ଚାଲିଥିଲେ ମଧ୍ୟ ଏ ଯାବତ ଏପରି ରୋଗର କାରଣ ଜଣାପଡ଼ିନି। ଏହି ଘଟଣା ପରେ ଅନ୍ୟ ଛାତ୍ରଛାତ୍ରୀ ଭୟଭୀତ ହୋଇ ଯାଇଥିବା ବେଳେ ସମ୍ପୃକ୍ତ ସ୍କୁଲକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି।
ଅଧିକ ପଢ଼ନ୍ତୁ : ଏବେ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି ରୋଗ