ମୁମ୍ବାଇ: ବି-ଟାଉନର ଡିମ୍ପଲ୍ ଗାର୍ଲ ନାମରେ ପରିଚିତ ପ୍ରୀତି ଜିଣ୍ଟା ସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି । ସେ ପ୍ରାୟତଃ ତାଙ୍କର କୌଣସି ନା କୌଣସି ପୋଷ୍ଟ ପାଇଁ ଶିରୋନାମାରେ ରହିଥାଆନ୍ତି । ତେବେ ପ୍ରୀତି ଜିଣ୍ଟାଙ୍କୁ ତାଙ୍କର ଜଣେ ପ୍ରଶଂସକ ପଚାରିଥିବା ପ୍ରଶ୍ନ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଜଣେ ଫ୍ୟାନ୍ ତାଙ୍କୁ ପଚାରିଛନ୍ତି, ‘ଆପଣ କଣ କେବେ ରାଜନୀତିରେ ଯୋଗ ଦେବେ କି’? ଆଉ ଉତ୍ତର ରଖିଛନ୍ତି ଚୁଲବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟା ।
ଟ୍ୱିଟରରେ ଅଭିନେତ୍ରୀଙ୍କ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ପ୍ରଶଂସକ ତାଙ୍କୁ ସୈନିକ ବୋଲି ସମ୍ବୋଧନ କରିବା ସହିତ ସେ ରାଜନୀତିରେ ପ୍ରବେଶ କରିବେ କି ବୋଲି ପ୍ରଶ୍ନ କରିଛନ୍ତି । ରାଜନୀତିରେ ଯୋଗଦେବାର କୌଣସି ଯୋଜନା ଅଛି କି ? ଏହାର ଉତ୍ତରରେ ସେ କେବେବି ରାଜନୀତିରେ ଯୋଗ ଦେବେ ନାହିଁ ବୋଲି ସିଧାସଳଖ ମନା କରିଦେଇଛନ୍ତି । କିନ୍ତୁ ଅନେକ ରାଜନୈତିକ ଦଳ ତାଙ୍କୁ ଟିକେଟ୍ ଦେବାକୁ କହିଛନ୍ତି ବୋଲି ଖୁଲାସା କରିଛନ୍ତି ପ୍ରୀତି । ସେ କହିଛନ୍ତି 'ନା! ରାଜନୀତି ମୋ ପାଇଁ ନୁହେଁ । ଗତ କିଛି ବର୍ଷ ମଧ୍ୟରେ, ଅନେକ ରାଜନୈତିକ ଦଳ ମୋତେ ଟିକେଟ୍ ଏବଂ ରାଜ୍ୟସଭା ଆସନ ପ୍ରଦାନ କରିଛନ୍ତି, କିନ୍ତୁ ମୁଁ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଛି କାରଣ ଏହା ମୁଁ ଚାହୁଁନାହିଁ ।
ସେହିପରି ତାଙ୍କୁ ସୈନିକ ବୋଲି ସମ୍ବୋଧନ କରିବା ଉପରେ ମଧ୍ୟ ସେ ପ୍ରତିକ୍ରିୟା ରଖିଛନ୍ତି । ପ୍ରୀତି କହିଛନ୍ତି ଯେ ତାଙ୍କୁ ସୈନିକ କହିବା ସମ୍ପୂର୍ଣ୍ଣ ଭୁଲ ନୁହେଁ, କାରଣ ସେ ଜଣେ ସୈନିକଙ୍କ ଝିଅ ଏବଂ ଜଣେ ସୈନିକଙ୍କ ଭଉଣୀ । ଆମେ ସାମରିକ ପିଲାମାନେ/ସେନା ପିଲାମାନେ ଭିନ୍ନ । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଉତ୍ତର ଭାରତୀୟ କିମ୍ବା ଦକ୍ଷିଣ ଭାରତୀୟ କିମ୍ବା ହିମାଚଳୀ କିମ୍ବା ବଙ୍ଗାଳୀ ଇତ୍ୟାଦି ନୁହଁ । ଆମେ କେବଳ ଭାରତୀୟ ଏବଂ ଦେଶପ୍ରେମ ଏବଂ ଜାତୀୟ ଗର୍ବ ଆମ ରକ୍ତରେ ଅଛି ।