ଭୁବନେଶ୍ୱର: ମାୟାନଗରୀ ମୁମ୍ବାଇରେ ଜଣେ ସଫଳ କଳାକାର ହେବା ବହୁତ କାଠିକର ପାଠ । ଅନେକ କଳାକାର ସେଠାରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି । ସେଥିରୁ ଅନେକ ସଫଳାତା ପାଇଛନ୍ତି ଆଉ ଅନେକ ବିଫଳ ମଧ୍ୟ ହୋଇଛନ୍ତି । ସେମିତି କିଛି ଓଡ଼ିଆ ଅଭିନେତା, ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ଗାୟକ ଗାୟିକା ମଧ୍ୟ ହିନ୍ଦୀ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି କଳାକାର ଯେପରିକି ନନ୍ଦିତା ଦାସ, ସମ୍ଭାବନା ମହାନ୍ତି, ସୁଲଗ୍ନା ପାଣିଗ୍ରାହୀ, ପ୍ରକୃତି ମିଶ୍ର ପ୍ରମୁଖ ରହିଛନ୍ତି ।
ନନ୍ଦିତା ଦାସ
ପ୍ରଥମେ ନନ୍ଦିତା ଦାସଙ୍କୁ ଜାଣିବା । ନନ୍ଦିତା ଏବେ ବଲିଉଡର ଜଣେ ପ୍ରସିଦ୍ଧ କଳାକାରଙ୍କ ମଧ୍ୟ ଜଣେ । ଯତୀନ ଦାସ ଏବଂ ବର୍ଷା ଦାସଙ୍କ ଝିଅ ନନ୍ଦିତା । ସେ ଓଡ଼ିଆ ହୋଇଥିଲେ ମଧ୍ୟ ଓଡ଼ିଶା ବାହାରେ ପଢ଼ିଛନ୍ତି ଏବଂ ବଢ଼ିଛନ୍ତି । କିନ୍ତୁ ସେ ସବୁବେଳେ ଓଡ଼ିଶା ସହିତ ଯୋଡ଼ି ହୋଇ ରହିଥାଆନ୍ତି । ସେ ବିଭିନ୍ନ ଭାଷାରେ ୪୦ଟି ଫିଲ୍ମରେ ଅଭିନୟ କରିଛନ୍ତି । ସେ ଜଣେ ସଫଳ ଅଭିନେତ୍ରୀ ସହିତ ନିର୍ଦ୍ଦେଶିକା ମଧ୍ୟ । ବଲିଉଡର ଅନେକ ବଡ଼ ବଡ଼ କଳାକାର ଅମିର୍ ଖାନ, ସଞ୍ଜୟ ଦତ୍ତଙ୍କ ସହିତ କାମ କରିଛନ୍ତି । ତାଙ୍କର ଅଭିନୀତ ଚଳଚ୍ଚିତ୍ର ଗୁଡ଼ିକ ହେଲା ଅମିର ଖାନଙ୍କ ସହିତ ‘ଅର୍ଥ’, ସଞ୍ଜୟ ଦତ୍ତଙ୍କ ସହିତ ‘ପିତାଃ’, ରାହୁଲ ବୋଷଙ୍କ ସହିତ ‘ଏକ ଦିନ୍ ୨୪ ଘଣ୍ଟା’, ‘ଏକ ଅଲଗ୍ ମୌସମ୍’ ଇତ୍ୟାଦି ।
ସମ୍ଭାବନା ମହାନ୍ତି
ଓଡ଼ିଶାର ପ୍ରଖ୍ୟାତ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ ହେଉଛନ୍ତି ସମ୍ଭାବନା ମହାନ୍ତି । ସମ୍ଭାବନା ଓଲିଉଡ଼ରେ ମୁଁ ରାଜା ତୁ ରାଣୀ, ବିଶ୍ୱନାଥରେ କାମ କରିଛନ୍ତି । ଓଲିଉଡରେ କିଛି ଦିନ କାମ କରିବା ପରେ ମୁମ୍ବାଇରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ । ବଲିଉଡରେ ନ ହେଲେ ମଧ୍ୟ ଅନେକ ହିନ୍ଦୀ ଧାରାବାହିକତାରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି । ଉଭୟ ନାୟିକା ଏବଂ ଖଳନାୟିକା ଭୂମିକାରେ ସେ ନଜର ଆସିଛନ୍ତି । ଜି ଟିଭିରେ ପ୍ରସାରିତ ଲୋକପ୍ରିୟା ଧାରାବାହିକ ‘ରାଜା ବେଟା’ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ସେହିପରି ‘ପ୍ୟାର କା ପେହଲା ନାମ୍: ରାଧା ମୋହନ’ରେ ଖଳନାୟିକା ଚରିତ୍ରରେ ଅଭିନୟର ଯାଦୁ ଦେଖାଇଛନ୍ତି ।
ପ୍ରକୃତି ମିଶ୍ର
ଶିଶୁ କଳାକାର ଭାବେ ଆଲବମ୍ ଦୁନିଆରେ ପାଦ ରଖିଥିବା ପ୍ରକୃତି ମିଶ୍ର ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ସମ୍ବାଦ ଉପସ୍ଥାପିକା କୃଷ୍ଣପ୍ରିୟା ମିଶ୍ରଙ୍କ ଝିଅ । ସେ ଏକାଧାରାରେ ଜଣେ ଭଲ ଅଭିନେତ୍ରୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ଗାୟିକା ମଧ୍ୟ । ସେ ‘ସାବତ ମା’ ଚଳଚ୍ଚିତ୍ର ଏବଂ ଓଡ଼ିଆ ଧାରାବାହିକ ‘ତୁଳସୀ’ରେ ଶିଶୁ କଳାକାର ଭାବେ ଅଭିନୟ କରି ଅନେକ ପ୍ରସଂଶା ସାଉଁଟିଛନ୍ତି । ଓଡ଼ିଶାରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ସିନେମାରେ କାମ କରି ସଫଳତା ପାଇଛନ୍ତି । ସେ ଓଲିଉଡରେ ଅନେକ ସିନେମାରେ କାମ କରିଛନ୍ତି । ଏହା ପରେ ସେ ବଲିଉଡରେ ଏବେବି ସଂଘର୍ଷ କରୁଛନ୍ତି । ଷ୍ଟାର୍ ଭାରତରେ ପ୍ରସାରିତ ହିନ୍ଦୀ ଧାରାବାହିକ ‘ଜୟ କହ୍ନେୟା ଲାଲ୍ କି’, ଆଣ୍ଡଟିଭିର ‘ବିଟି ବିଜିନେସ୍ ବାଲି’ ଓ ‘ଲାଲ୍ ଇସ୍କ’, ସବ୍ ଟିଭିରେ ‘ତ୍ରିଦେବୀୟାଁ’ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି ଜି ଟିଭିର ‘ଇଣ୍ଡିଆଜ୍ ବେଷ୍ଟ ସିନେଷ୍ଟାର୍ କି ଖୋଜ୍’ ଏମଟିଭି ଶୋ‘ଏସ୍ ଅଫ୍ ସ୍ପେସ୍-୨’ ରେ ମଧ୍ୟ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଛନ୍ତି । ଏହା ସହିତ ଏମଟିଭି ୱେବ୍ ସିରିଜ୍ ‘କ୍ଲାସ୍ ଅଫ୍ ୨୦୨୦’ ଏବଂ ଆମାଜନ୍ ମିନି ଟିଭି ‘ଦ ହଣ୍ଟିଂ’ରେ ଅଭିନୟ କରିଛନ୍ତି ।
ସୁଲଗ୍ନା ପାଣିଗ୍ରାହୀ
ବ୍ରହ୍ମପୁରେ ଜନ୍ମିତ ସୁଲଗ୍ନା ପାଣିଗ୍ରାହୀ ମଧ୍ୟ ହିନ୍ଦୀ ଇଣ୍ଡଷ୍ଟ୍ରିରେ ଜଣେ ସଫଳ ଅଭିନେତ୍ରୀ ତାଲିକାରେ ଆସନ୍ତି । ଟେଲିଭିଜନ ଧାରାବାହିକ ‘ଅମ୍ବରଧାରା’ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେଥିରେ ଧାରା ଚରିତ୍ରରେ ଅଭିନୟ କରିଥିଲେ, ଦୁଇ ଯମଯ ଭଉଣିଙ୍କ ସଂଯୋଗ କାହାଣୀ ଉପରେ ଧାରାବାହିକ ପର୍ଯ୍ୟବସିତ ଥିଲା । ଧାରାବାହିକ ସେପ୍ଟେମ୍ବର ୨୦୦୭ଠାରୁ ମାର୍ଚ୍ଚ ୨୦୦୮ ପର୍ଯ୍ୟନ୍ତ ସୋନି ଏଣ୍ଟର୍ଟେନମେଣ୍ଟ ଟେଲିଭିଜନରେ ପ୍ରସାରିତ ହୋଇଥିଲା । ତାଙ୍କର ଦ୍ୱିତିୟ ଧାରାବାହିକ ହେଉଛି "ଦୋ ସହେଲିଆଁ", ଏଥିରେ ସେ ମୈଥେଲି ଚରିତ୍ରରେ ଅଭିନୟ କରିଥିଲେ । ମାର୍ଚ୍ଚ ୨୦୧୦ଠାରୁ ଜୁଲାଇ ୨୦୧୦ ପର୍ଯ୍ୟନ୍ତ ଏହା "ଜି ଟିଭି"ରେ ପ୍ରସାରିତ ହୋଇଥିଲା । ଏହା ପରେ ସେ ଏକ ଖଳନାୟିକା ଭୁମିକାରେ ଆସିଥିଲେ ଧାରାବାହିକ "ବିଦାୟି"ରେ, ଏଥିରେ ସେ "ସାକ୍ଷୀ" ଚରିତ୍ରରେ ଅଭିନୟ କରିଥିଲେ । ଷ୍ଟାରପ୍ଲସରେ ଓଡ଼ିଶା ଇତିହାସ ଉପରେ ଆଧାରିତ ‘ବିଦ୍ରୋହୀ’ରେ ଅଭିନୟ କରିଛନ୍ତି । ଏହା ସହିତ 5ରୁ ଉର୍ଦ୍ଧ୍ୱ ହିନ୍ଦୀ ସିନେମାରେ ଅଭିନୟ କରିଛନ୍ତି, ସେଗୁଡ଼ିକ ହେଲା ‘ମର୍ଡର୍-୨’, ଇସ୍କ ବାଲା ଲଭ୍ (ମରାଠୀ) , ଇସାଇ (ତାମିଲ), ‘ଗୁରୁ ଦକ୍ଷିଣା’, ‘ରେଡ୍’, ‘ଶର୍ମାଜୀ ନମକିନ୍’, ‘ପିଙ୍କି ବିଉଟି ପାର୍ଲର୍’, ‘ବିଜୟ୬୯’।
ସୂର୍ଯ୍ୟମୟୀ ମହାପାତ୍ର
ସୂର୍ଯ୍ୟମୟୀ ଓଲିଉଡରେ ଜଣେ ନବାଗତା । ସେ ବହୁ ଓଡ଼ିଆ ସିନେମାରେ କାମ କରି ସଫଳ ହୋଇଛନ୍ତି । କିନ୍ତୁ ମୁମ୍ବାଇରେ ତାଙ୍କର ଯାଦୁ ଦେଖିବାକୁ ମିଳି ନାହିଁ । ସେ ରୋଡିଜ୍ ରିଆଲିଟି ଶୋରେ ଭାଗ ନେଇଥିଲେ, କିନ୍ତୁ କେବଳ ଅଡିସନ୍ ପର୍ଯ୍ୟନ୍ତ ଯାଇପାରିଥିଲେ । ସେହି ସୋନୀ ଟିଭିରେ ପ୍ରସାରିତ ‘ସିରିଜ୍ ଦ ଜେଙ୍ଗାବୁରୁ କର୍ସ’ରେ ଜଣେ ପାର୍ଶ୍ୱ କଳାକାର ଭାବେ ଅଭିନୟ କରିଛନ୍ତି ।