ନୂଆଦିଲ୍ଲୀ: ସଙ୍ଗୀତ ଦୁନିଆକୁ ପୁଣି ଏକ ଝଟକା ଲାଗିଛି । ଇଣ୍ଡିଆନ୍ ଆଇଡିଆଲ୍ ସିଜନ୍-୩ର ବିଜେତା ଏବଂ ପାତାଲ୍ ଲୋକ୍ ଅଭିନେତା ପ୍ରଶାନ୍ତ ତମାଙ୍ଗର ଅକାଳ ବିୟୋଗ ହୋଇଛି । ରବିବାର ଦିଲ୍ଲୀ ବାସଭବନରେ ହୃଦଘାତରେ ପରଲୋକ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା ।
ଜାନୁଆରୀ ୩, ୧୯୮୩ ମସିହାରେ ପ୍ରଶାନ୍ତ ତମାଙ୍ଗ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଜନ୍ମ ଗ୍ରହଣ କରିଥିଲେ । ଛୋଟ ଅବସ୍ଥାରେ ସେ ନିଜର ବାପାଙ୍କୁ ହରାଇଥିଲେ । ଏହା ପରେ ସେ କୋଲକାତା ପୋଲିସରେ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ । ସେହି ସମୟରେ ସେ ସଙ୍ଗୀତଙ୍କୁ ନିଜ ପେଷା ଭାବେ ଗ୍ରହଣ କରିଥିଲେ । ୨୦୦୭ ମସିହାରେ ସୋନୀ ଟିଭିରେ ପ୍ରସାରିତ ଇଣ୍ଡିଆନ୍ ଆଇଡିଆଲ୍ ସିଜନ୍-୩ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ସେଥିରେ ସେ ଅଂଶ ଗ୍ରହଣ କରି ବିଜେତା ହେବା ପରେ ଘରେ ଘରେ ଜଣେ ପରିଚିତ ଚେହେରା ହୋଇଯାଇଥିଲେ । ସେ ନେପାଳୀ ହୋଇଥିବାରୁ ନେପାଳରେ ମଧ୍ୟ ବେଶ୍ ପରିଚିତ ଥିଲେ । ସେଠାରେ ମଧ୍ୟ ଅନେକ ସିନେମାରେ ଅଭିନୟ କରିଛନ୍ତି । ପ୍ରଶାନ୍ତ ତମାଙ୍ଗ ବିବାହିତ ହୋଇଥିବାବେଳେ ତାଙ୍କର ଗୋଟିଏ ସନ୍ତାନ ମଧ୍ୟ ଅଛି ।