ମୁମ୍ବାଇ: ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ଦେହରେ ଗୁଳି ବାଜିଥିବା ଜଣାପଡ଼ିଛି । ତାଙ୍କ ନିଜ ବନ୍ଧୁକରୁ ତାଙ୍କ ଗୋଡ଼ରେ ଗୁଳି ବାଜିଛି । ମୁମ୍ବାଇର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗୋବିନ୍ଦା ମଙ୍ଗଳାବର ଭୋର 4ଟା ସମୟରେ ଜୁହୁସ୍ଥିତ ତାଙ୍କ ଘରେ କୋଲକାତା ଯିବାକୁ ପ୍ରସ୍ତୁତ ହେଉଥିଲେ । ଏହି ସମୟରେ ସେ ନିଜ ସୁରକ୍ଷା ପାଇଁ ପାଖରେ ରଖିଥିବା ଏକ ଲାଇସେନ୍ସ ପ୍ରାପ୍ତ ରିଭଲବରକୁ ସଫା କରୁଥିଲେ । ବନ୍ଧୁକକୁ ସଫା କରିବାବେଳେ ଅସାବଧାନତା ବଶତଃ ଗୁଳି ଫୁଟି ଥିଲା । ଫଳରେ ତାଙ୍କ ବାମ ଗୋଡ଼ର ଆଣ୍ଠୁ ତଳକୁ ଗୁଳିଟି ବାଜିଥିଲା । ଗୋବିନ୍ଦାଙ୍କ ସୁରକ୍ଷା କର୍ମୀ ତୁରନ୍ତ ତାଙ୍କୁ ନିକଟସ୍ଥ କ୍ରିଟି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଡାକ୍ତର ଅସ୍ତ୍ରୋପଚାର କରି ଗୁଳିଟିକୁ ବାହାର କରି ଦେଇଥିବାବେଳେ ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ତାଙ୍କ ମ୍ୟାନେଜର ଶଶି ସିହ୍ନା ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ଜୁହୁ ପୁଲିସ ଏକ ମାମଲା ରୁଜୁ କରିଛି । ଗୁଳି କେମିତି ଫୁଟିଲା , ଘରେ ଆଉ କିଏ ଉପସ୍ଥିତ ଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି ।
ଘଟଣା ଘଟିବା ସମୟରେ ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ଘରେ ନ ଥିଲେ । ସେ କୌଣସି କାମରେ ମୁମ୍ବାଇରୁ ବାହାରକୁ ଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ସୁନିତା ଫ୍ଲାଇଟ୍ ଯୋଗେ ମୁମ୍ବାଇ ଆସୁଥିବା ଜଣାପଡ଼ିଛି ।