ମୁମ୍ବାଇ: ଆଜି କାଲିର ଆଧୁନିକ ଦୁନିଆରେ ଛାଡ଼ପତ୍ର ଏକ ସାଧାରଣ କଥା ହୋଇଗଲାଣି । ଛୋଟ ଛୋଟ କଥାରେ ଅଲଗା ହୋଇ ଯାଉଛନ୍ତି ସ୍ୱାମୀ-ସ୍ତ୍ରୀ । ତେବେ ବଢ଼ୁଥିବା ଛାଡ଼ପତ୍ର ମାମଲାକୁ ଦେଖି ଚିନ୍ତ ପ୍ରକଟ କରିଛନ୍ତି ବଲିଓଡ୍ ତଥା ଦେଶର ନାମୀଦାମୀ ବରିଷ୍ଠ କଣ୍ଠଶିଳ୍ପୀ ଆଶା ଭୋସଲେ । ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସହିତ ଆଲୋଚନା କରିବା ସମୟରେ ପ୍ରଶ୍ନ କରିଛନ୍ତି ଆଶା ।
ଆଶା ଭୋସଲେ କହିଛନ୍ତି ଯେ ଆଜିକାଲି ଯୁବ ପୀଢ଼ୀ ନିଜ ବୈବାହିକ ସମ୍ପର୍କକୁ ବଞ୍ଚାଇବାକୁ ପ୍ରଚେଷ୍ଟା କରୁ ନାହାଁନ୍ତି । ତେବେ କାହିଁକି ଯୁବ ବର୍ଗମାନେ ଏତେ ଜଲଦି ହାର ମାନି ଯାଉଛନ୍ତି ବୋଲି ସେ ରବିଶଙ୍କରଙ୍କୁ ପ୍ରଶ୍ନ କରିଥିଲେ । ଶ୍ରୀ ରବିଶଙ୍କର ମଧ୍ୟ ଏହାର ଉତ୍ତର ଦେବାକୁ ଚେଷ୍ଟା କରିଥିଲେ ।
କଣ୍ଠଶିଳ୍ପୀ ନିଜ ବୈବାହିକ ଜୀବନ ବିଷୟରେ ମଧ୍ୟ କହିଥିଲେ । ନିଜ ଦାମ୍ପତ୍ୟ ଜୀବନରେ ମଧ୍ୟ ଅନେକ ଝଡ଼ ଆସିଛି । ଯେତେବେଳେ ସ୍ୱାମୀଙ୍କ ଅଧିକ ଝଗଡ଼ା ହୁଏ ସେତେବେ ସେ ନିଜ ବାପାଙ୍କ ଘରକୁ କିଛି ଦିନ ପାଇଁ ଚାଲି ଯାଆନ୍ତି । କିନ୍ତୁ କେବେ ଛାଡ଼ପତ୍ର ଦେବାକୁ ଚିନ୍ତା ବି କରି ନାହାଁନ୍ତି ।
ତେବେ ଆଶାଙ୍କ ଏହି ଉଦବେଗ ଜନିତ ପ୍ରଶ୍ନର ଉତ୍ତରରେ ଗୁରୁ ଶ୍ରୀ ରବିଶଙ୍କର କହିଥିଲେ ଯେ ଆପଣ ଗୀତ ମାଧ୍ୟମରେ ସମସ୍ତଙ୍କୁ ଖୁସି ଦେଉଥିଲେ ଏବଂ ଭଗବାନଙ୍କ ଉପରେ ଭରସା ରଖିଥିଲେ । ଅସୁବିଧା ସହିତ ଲଢ଼ିବାକୁ ଚେଷ୍ଟା କଲେ । କିନ୍ତୁ ଆଜିକାଲିର ଲୋକଙ୍କ ପାଖରେ ଅସୁବିଧାର ସାମ୍ନା କରିବାକୁ ଧୈର୍ଯ୍ୟ ନାହିଁ ।
ସେହିପରି ଆଗକୁ ଆଶା କହିଥିଲେ ୯୦ ବର୍ଷ ଭିତରେ ସେ ଅନେକ ଦମ୍ପତିଙ୍କୁ ଦେଖିଛନ୍ତି । କିନ୍ତୁ ଆଜିକାଲି ଭଳି ଛାଡ଼ପତ୍ର ଭଳି ପଦକ୍ଷେପ କେହି ନେଉ ନ ଥିଲେ । ଆଜିକାଲି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲପାଇବା ନାହିଁ ବୋଲି ସେ କହିଛନ୍ତି । ଏଥିରେ ମଧ୍ୟ ରବିଶଙ୍କର ସହମତି ପ୍ରକାଶ କରିଥିଲେ ।
ଆୟୋଜିତ ଶୋରେ ଆଶା କିପରି ନିଜ କ୍ୟାରିୟର ସହିତ ତିନି ପିଲାଙ୍କୁ ନେଇ ପରିବାର ଚଳାଇଥିଲେ ତାହା ଉପରେ ଆଲୋଚନା ହୋଇଥିଲା । ଆଶା କହିଥିଲେ ଯେ ଆଜିକାଲି ମହିଳାମାନେ ପିଲାଙ୍କୁ ବୋଝ ବୋଲି ଭାବି ନେଉଛନ୍ତି । ଏଠି ସେ ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ କି ଏତେ ବ୍ୟସ୍ତ ବହୁଳ ଜୀବନ ଭିତରେ ମଧ୍ୟ ସେ ଦୈନିକ ନିଜ ପିଲାର ପାଠ ପଢ଼ା ଦେଖୁଥିଲେ ।