ବିବାଦୀୟ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଜୋର ଧରିଛି ରାଜନୀତି। ମମତା ସରକାର ପଶ୍ଚିମବଙ୍ଗରେ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଛି । ମମତା ବନାର୍ଜୀ ଏହି ସିନେମା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ‘ଦ କାଶ୍ମୀର ଫାଇଲ୍ସ’ କଣ ଥିଲା? ଏହା ଏକ ବର୍ଗକୁ ଅପମାନିତ କରୁଥିବା କାହାଣୀ ଥିଲା । ‘ଦ କେରଳ ଷ୍ଟୋରୀ’ କଣ ଅଟେ? ଏହା ମଧ୍ୟ ଏକ ଭୁଲ ଢଙ୍ଗରେ ଉପସ୍ଥାପିତ କରାଯାଇଥିବା କାହାଣୀ ଅଟେ । ଏହାସହିତ ବିଜେପିି ଉପରେ ବଡ ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ । ବିଜେପି ସରକାର ମନଗଢା ଓ ଭୁଲ କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସକୁ ନିର୍ମାଣ କରିବାକୁ ଫିଲ୍ମ ନିର୍ମାତାଙ୍କୁ ପଇସା ଦେଉଛି ।
ସେପଟେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ଏହି ଫିଲ୍ମକୁ ବ୍ୟାନ କରିଥିବା ବେଳେ ଆଜି ଉତ୍ତରପ୍ରଦେଶରେ ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ନିଜେ ଏହାର ସ୍ପେଶାଲ ସ୍କ୍ରିନିଂ ଦେଖିବେ ବୋଲି ବି କହିଛନ୍ତି। ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଭବନରେ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଏହି ଫିଲ୍ମ ଦେଖିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅଦା ଶର୍ମା ଅଭିନୀତ ‘ଦ କେରଳ ଷ୍ଟୋରୀ’ରେ କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀମାନଙ୍କର ଧର୍ମପରିବର୍ତ୍ତନ କରି ସେମାନଙ୍କୁ ମୁସଲମାନ କରାଯାଉଛି ଓ ପରେ ସେମାନଙ୍କୁ ଆଫଗାନିସ୍ତାନ, ୟେମେନ ଓ ସିରିୟା ଭଳି ଦେଶକୁ ପଠାଯାଇ ଇସଲାମ ପାଇଁ ଲଢ଼ିବାକୁ ଆତଙ୍କବାଦୀ ସଂଗଠନରେ ସେମାନଙ୍କୁ ସାମିଲ କରାଯାଇ ସେମାନଙ୍କ ହାତରେ ଅସ୍ତ୍ର ଧରାଇ ଦିଆଯାଉଛି ବୋଲି ଦେଖାଯାଇଛି। ‘ଦ କେରଳ ଷ୍ଟୋରୀ’କୁ ନେଇ ବର୍ତ୍ତମାନ ସମୟରେ ଚର୍ଚ୍ଚା ଜୋର ଧରିଛି । କେହି କେହି କହିଛନ୍ତି ଯେ ଫିଲ୍ମଟି କେରଳର ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଫିଲ୍ମ ଜରିଆରେ ହିନ୍ଦୁ ଯୁବତୀମାନେ ସଚେତନ ହେବେ ବୋଲି କୁହାଯାଇଛି । ସେହିପରି ଆଉ କେହି କେହି ଫିଲ୍ମକୁ ବିରୋଧ କରି ମୁସଲିମଙ୍କ ବିରୋଧରେ ଘୃଣା ସୃଷ୍ଟି କରିବାକୁ ଏହି ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତେବେ ସିନେମା ୫ ତାରିଖରେ ରିଲିଜ୍ ହୋଇଥିବା ବେଳେ ସାରା ଦେଶରେ ବହୁତ ଭଲ ରେସପନ୍ସ ମିଳୁଛି ।