ମୁମ୍ବାଇ: ବଲିଉଡ ଜଗତରୁ ଆସିଛି ବଡ ଖବର । ଭେଟେରାନ ଅଭିନେତା ଗୋବିନ୍ଦା ନିଜ ପତ୍ନୀ ସୁନିତାଙ୍କଠୁ ଛାଡପତ୍ର ନେଉଥିବା ଖବର ପ୍ରକାଶ ପାଇଛି । ଏହି ସୂଚନା ସାମ୍ନାକୁ ଆସିବା ପରେ ବଲିଉଡ ଓ ଗୋବିନ୍ଦାଙ୍କ ପ୍ରଶଂସକଙ୍କ ମଧ୍ୟରେ ଚହଳ ପକାଇଛି । ଏହାକୁ ସହଜରେ ସିନେ ପ୍ରେମୀ ଗ୍ରହଣ କରି ପାରୁ ନାହାନ୍ତି ।
ଗୋବିନ୍ଦାଙ୍କ ପାରିବାରିକ ଜୀବନ ସଂପ୍ରତି ଠିକ୍ ଚାଲିନି । ପତ୍ନୀଙ୍କ ସହ ତାଙ୍କର ସଂପର୍କ ଠିକ୍ ନ ଥିବା ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲା । ସଦ୍ୟତମ ଖବର ଅନୁଯାୟୀ, ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଛାଡପତ୍ର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଉଭୟ ନିଜର ୩୭ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଛେଦ ପକାଇବାକୁ ନିଷ୍ପତ୍ତି ନେଇଛନ୍ତି । ସୁନିତା ବିଗତ ଦିନରେ ଅନେକ ସାକ୍ଷାତକାରରେ କହି ସାରିଛନ୍ତି ଯେ, ତାଙ୍କ ସହ ଆଉ ଗୋବିନ୍ଦା ରହୁ ନାହାନ୍ତି । ଏହି ଚର୍ଚ୍ଚା ହେଉଛି ଯେ, ଗୋବିନ୍ଦା ଓ ସୁନିତା ଅଲଗା ହେବାର କାରଣ ଜଣେ ୩୦ ବର୍ଷୀୟ ମରାଠି ଅଭିନେତ୍ରୀ । ତେବେ ଏହା ଉପରେ ଗୋବିନ୍ଦା କିମ୍ବା ସୁନିତାଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ ।
ଗୋବିନ୍ଦା ଓ ସୁନିତାଙ୍କ ପାରିବାରିକ ଜୀବନ ଅନେକ ଉତଥାନ ପତନ ଦେଇ ଗତି କରିଛି । କିନ୍ତୁ ଏବେ ଦୁହେଁ ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି । ଗୋବିନ୍ଦାଙ୍କ ପତ୍ନୀ ସୁନିତା ନିଜର ବିନ୍ଦାସ ସ୍ୱଭାବ ପାଇଁ ପରିଚିତ । କିଛି ଦିନ ପୂର୍ବେ ଯେବେ ଗୋବିନ୍ଦାଙ୍କୁ ଗୁଳି ବାଜିଥିଲା, ସେହି ସମୟରେ ଜଣା ପଡିଥିଲା ଯେ, ସେ ଆଉ ସୁନିତାଙ୍କ ସହ ରହୁ ନାହାନ୍ତି । ଏହା ପରଠୁ ଉଭୟଙ୍କ ମଧ୍ୟରେ ଛାଡପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏସବୁର କାରଣ ଜଣେ ୩୦ ବର୍ଷୀୟ ମରାଠି ଅଭିନେତ୍ରୀ । ଗୋବିନ୍ଦା ଏହି ମରାଠି ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବା ଖବର ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ୧୯୮୭ ମାର୍ଚ୍ଚ ୧୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଗୋବିନ୍ଦା ଓ ସୁନିତା । ସେହି ସମୟରେ ସୁନିତା ବହୁତ ଛୋଟ ଥିଲେ । ଉଭୟଙ୍କ ଗୋଟିଏ ପୁଅ ଓ ଝିଆ ଅଛନ୍ତି । ଏବେ ସୁନିତା ପୁଅ ଯଶବର୍ଦ୍ଧନ ଓ ଝିଅ ଟିନାଙ୍କ ସହ ରହୁଛନ୍ତି । ଗୋବିନ୍ଦା ନିଜ ପତ୍ନୀ ଓ ପିଲାଙ୍କଠୁ ଅଲଗା ରହୁଛନ୍ତି । ତେବେ ଏହା ଦେଖିବା ବାକି ରହିଲା ଯେ, ବାସ୍ତବରେ ଦୁହେଁ ଛାଡପତ୍ର ନେଉଛନ୍ତି ନା ଏହି ଖବର କେବଳ ମାତ୍ର ଏକ ଗୁଜବ ।