ପାଟନା: ଲୋକପ୍ରିୟ ଗାୟିକା ଶାରଦା ସିହ୍ନାଙ୍କ ମଙ୍ଗଳବାର ପରଲୋକ ଘଟିଛି । ଶାରଦା ଅସୁସ୍ଥ ଥିଲେ ଏବଂ ଏମ୍ସରେ ଚିକିତ୍ସାଧୀନ ଥିଲେ । ୭୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୁଅ ଅଂଶୁମାନ ସିହ୍ନା ଫେସବୁକରେ ପୋଷ୍ଟ କରି ମାଆ ଶାରଦାଙ୍କ ନିଧନ ବିଷୟରେ ସୂଚନା ଦେଇଥିଲେ । ମହାପର୍ବରେ ଗୀତ ଗାଇ ପ୍ରସିଦ୍ଧିଲାଭ କରିଥିବା ଶାରଦା ସିହ୍ନାଙ୍କ ନିଧନ ଛଠ ପୂଜାର ପୂର୍ବଦିନରେ ହୋଇଛି । ଏହା ପୂର୍ବରୁ ସୋମବାର ଶାରଦାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା ଏବଂ ଭେଣ୍ଟିଲେଟରରେ ତାଙ୍କୁ ରଖାଯାଇଥିଲା ।
ଗାୟିକା ଶାରଦା ସିହ୍ନାଙ୍କୁ ୨୦୧୮ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କ ଦ୍ୱାରା ଛଠ ପୂଜାରେ ଆଧାରିତ ଗୀତ ହୋ ଦୀନାନାଥ ବେଶ ଲୋକପ୍ରିୟ ହୋଇଥିଲା । ୧୯୫୨ ଅକ୍ଟୋବର ୧ ତାରିଖରେ ଶାରଦା ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ନିଜର ଚମତ୍କାର କଣ୍ଠ ପାଇଁ ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି । ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ ।
ଶାରଦା ସିହ୍ନା ଗତ କିଛି ଦିନରୁ ଏମ୍ସରେ ଚିକିତ୍ସିତ ହେଉଥିଲେ । ତେବେ ସୋମବାର ସନ୍ଧ୍ୟାରେ ତାଙ୍କୁ ପ୍ରାଇଭେଟ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଏହା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କର ଅକ୍ସିଜେନ ସ୍ତର ବହୁତ ଖସି ଯାଇଥିଲା । ଫଳରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡିଥିଲା । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।