ମୁମ୍ବାଇ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ପୋଲିସ ବଲିଉଡ ଅଭିନେତା ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦେଇଛି । ଏହା ମଧ୍ୟରେ ସଲମାନ ଖାନଙ୍କ ପିତା ସଲିମ ଖାନ ପୁଅକୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଥିବା କହିଛନ୍ତି । ସେ କହିଛନ୍ତି, ସଲମାନ ନା କୃଷ୍ଣସାର ମୃଗର ଶିକାର କରିଛି ନା ତା ପାଖରେ ସେ ସମୟରେ ବନ୍ଧୁକ ଥିଲା । ସଲମାନ ଆଜି ପର୍ଯ୍ୟନ୍ତ ଗୋଟିଏ ଅସରପା ବି ମାରିନି । ସଲିମଙ୍କ ଏହି ଟିପ୍ପଣୀ ପରେ ପୁଣି ଥରେ ବିଷ୍ଣୋଇ ସମାଜ କ୍ଷୁବ୍ଧ ହୋଇ ଉଠିଛି ।
ବିଷ୍ଣୋଇ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ବୁଢିଆ କହିଛନ୍ତି, ଆଜି ସଲମାନ ଖାନଙ୍କ ପରିବାର ପକ୍ଷରୁ ବିଷ୍ଣୋଇ ସମାଜ ପ୍ରତି ଦ୍ୱିତୀୟ ଅପରାଧ କରାଯାଇଛି । ସଲମାନଙ୍କ ପିତା ସଲିମ ଖାନଙ୍କ ମୁତାବକ ପୋଲିସ, ବନ ବିଭାଗ, ସାକ୍ଷ୍ୟ ପ୍ରମାଣ ସବୁ ମିଛ । ପୋଲିସ ମୃଗର ଅବଶେଷ ଜବତ କରିଥିଲା । ସଲମାନଙ୍କ ବନ୍ଧୁକ ମଧ୍ୟ ଜବତ ହୋଇଥିଲା । ଏପରିକି ସଲମାନଙ୍କୁ ଜେଲ୍ ଯିବାକୁ ପଡିଥିଲା । କୋର୍ଟ ସବୁ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ସଲମାନ ଖାନଙ୍କୁ କୃଷ୍ଣସାର ମୃଗ ଶିକାରରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ । ଏଥିରୁ ଲାଗୁଛି ସଲମାନ ଖାନ ଏବଂ ତାଙ୍କ ପୁରା ପରିବାର ମିଥ୍ୟାବାଦୀ ।
ଲରେନ୍ସ ବିଷ୍ଣୋଇଙ୍କ ପକ୍ଷରୁ ସଲମାନ ଖାନଙ୍କୁ ଜୀବନରେ ମାରି ଦେବାକୁ ଧମକକୁ ନେଇ ସଲିମ ଖାନ କହିଥିଲେ ଏହା ଦାଦାବଟି ମାମଲା । ଏହା ଉପରେ ବିଷ୍ଣୋଇ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ନା ଆମ ସମାଜକୁ ଅର୍ଥ ଦରକାର ନା ଲରେନ୍ସ ବିଷ୍ଣୋଇଙ୍କୁ ସେମାନଙ୍କର ହାରାମ ଅର୍ଥ ଦରକାର । ଏହା ସତ ଯେ, ସଲୀମ ଖାନଙ୍କ ଏହି ପରି ବୟାନରେ ବିଷ୍ଣୋଇ ସମାଜ ମର୍ମାହତ ।
ସେ କହିଛନ୍ତି, ବିଷ୍ଣୋଇ ସମାଜ ପ୍ରତି ସଲମାନ ଖାନଙ୍କ ପରିବାରର ଏହା ଦ୍ୱିତୀୟ ଅପରାଧ । ବିଷ୍ଣୋଇ ସମାଜର ଲୋକେ ପରିଶ୍ରମ କରି ନିଜ ଜୀବନ ଜୀବିକା ନିର୍ବାହ କରନ୍ତି । ବିଷ୍ଣୋଇ ସମାଜ ୫୫୦ ବର୍ଷ ପୂର୍ଭେ ପରିବେଶ ସୁରକ୍ଷା ପ୍ରତି ଲୋକଙ୍କୁ ସଚେତନ କରାଇ ଆସିଛି । ଆମେ ଅନେକ ଜୀବ ଜନ୍ତୁଙ୍କ ରକ୍ଷା କରିଛୁ । ଆମେ ସମସ୍ତ ଜିଲ୍ଲାରେ ବନ୍ୟ ଜୀବଜନ୍ତୁଙ୍କ ପାଇଁ ଉଦ୍ଧାର କେନ୍ଦ୍ର ସ୍ଥାପନ କରିଛୁ । ଆମକୁ ସଲମାନ ପରିବାରର ହାରାମ ଅର୍ଥ ଦରକାର ନାହିଁ ବୋଲି ବିଷ୍ଣୋଇ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦେବେନ୍ଦ୍ର ବୁଢିଆ କହିଛନ୍ତ