ମୁମ୍ବାଇ, ଜାନୁଆରୀ ୦୭ (ଖବର ଓଡ଼ିଶା):
ହାସ୍ୟ ଅଭିନେତା କପିଲ ଶର୍ମା କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କ ବିରୋଧରେ ଏକ ଠକେଇ ମାମଲା ଦାୟର କରିଛନ୍ତି। ଏହି ପରିପ୍ରେକ୍ଷୀରେ କପିଲ ଶର୍ମା ଗୁରୁବାର ସାକ୍ଷୀ ଭାବରେ ପୋଲିସ ନିକଟରେ ତାଙ୍କ ବୟାନ ରେକର୍ଡ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ସେଲ୍ ତାଙ୍କୁ ବୟାନ ରେକର୍ଡ କରିବାକୁ ଡାକିଥିଲେ।
ଗତ ବର୍ଷ ଡିସେମ୍ବର ୨୮ରେ ମୁମ୍ବାଇ ପୋଲିସ ଦିଲୀପ ଛାବ୍ରିଆଙ୍କୁ ଗିରଫ କରିଥିଲା। କାର୍ ରେଜିଷ୍ଟ୍ରେସନ୍ ରାକେଟ ସଂପର୍କରେ କାର୍ ମୋଡିଫିକେସନ୍ ଷ୍ଟୁଡିଓ ଡିସି ଡିଜାଇନର ପ୍ରତିଷ୍ଠାତା ଛାବ୍ରିଆଙ୍କୁ ପୋଲିସ ଗିରଫ କରିଥିଲା। ଠକେଇ, ଅପରାଧିକ ଷଡଯନ୍ତ୍ରରେ ଦିଲୀପ ଛାବ୍ରିଆଙ୍କୁ ଗିରଫ କରାଯାଇଛି। ଆଇପିସିର ଧାରା ୪୨୦ ଅନୁଯାୟୀ କପିଲ ଶର୍ମା ତାଙ୍କ ବିରୋଧରେ ଏକ ମାମଲା ଦାୟର କରିଛନ୍ତି।