ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦେଶକ ତଥା ପ୍ରଯୋଜକ ଟି. ରାମା ରାଓଙ୍କର ଗତକାଲି ରାତିରେ ଚେନ୍ନାଇରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା ।
ଏକ ବିବୃତି ଜାରି କରି ରାମା ରାଓଙ୍କ ପରିବାରର ସଦସ୍ୟମାନେ ତାଙ୍କ ଦୁଃଖଦ ବିୟୋଗ ସଂକ୍ରାନ୍ତ ଖବର ଦେଇଛନ୍ତି। ପରିବାର ବର୍ଗ ଜାରି କରିଥିବା ବିବୃତିରେ ଲେଖିଛନ୍ତି: ଗଭୀର ଦୁଃଖର ସହ ଆମ୍ଭେ ଜଣାଉଛୁ କି, ଆମର ପ୍ରିୟ ତାତିନେନୀ ରାମା ରାଓ ଆଜି ପ୍ରତ୍ୟୁଷରେ ସ୍ୱର୍ଗାରୋହଣ କରିଛନ୍ତି। ପତ୍ନୀ ତାତିନେନୀ ଜୟଶ୍ରୀ ଏବଂ ସନ୍ତାନସନ୍ତତି ଚାମୁଣ୍ଡେଶ୍ଵରୀ, ନାଗା ସୁଶୀଳା, ଅଜୟ ଏବଂ ପରିବାରର ଅନ୍ୟମାନଙ୍କ ପାଖରେ ସେ ଅବିସ୍ମରଣୀୟ ହୋଇ ରହିବେ। ଆଜି ସନ୍ଧ୍ୟାରେ ଚେନ୍ନାଇରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
୧୯୮୩ ମସିହାରେ ସୁପର୍ଷ୍ଟାର୍ ରଜନୀକାନ୍ତଙ୍କୁ ହିନ୍ଦୀ ଚଳଚ୍ଚିତ୍ରରେ ପରିଚିତ କରାଇଥିବା ଟି. ରାମା ରାଓ ଅମିତାଭ ବଚ୍ଚନ, ଜିତେନ୍ଦ୍ର, ଧର୍ମେନ୍ଦ୍ର, ସଞ୍ଜୟ ଦତ୍ତ, ଶ୍ରୀଦେବୀ, ଅନୀଲ୍ କପୁର, ଗୋବିନ୍ଦା ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି ଶ୍ରେଷ୍ଠ ଅଭିନେତାଙ୍କ ସହିତ କାର୍ଯ୍ୟ କରିଥିଲେ। ତେଲୁଗୁ, ତାମିଲ ଏବଂ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଅନେକ ଅଗ୍ରଣୀ କଳାକାରଙ୍କ ସହ କାମକରିଥିଲେ ଟି. ରାମା ରାଓ।
ତାମିଲ ଓ ତେଲୁଗୁ ଭାଷାର ସୁପରହିଟ ଫିଲ୍ମ ଗୁଡ଼ିକୁ ହିନ୍ଦୀରେ ପୁନଃ ନିର୍ମାଣ କରି ସେ ୧୯୮୦ ଦଶକରେ ବଲିଉଡ୍ରେ ଖୁବ୍ ଲୋକପ୍ରିୟ ହୋଇଥିଲେ। ତାଙ୍କର ପ୍ରମୁଖ ‘ବଲିଉଡ୍’ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି, ‘ଅନ୍ଧା କାନୁନ୍’, ‘ଏକ୍ ହି ଭୁଲ୍’, ‘ମୁଝେ ଇନ୍ସାଫ୍ ଚାହିଏ’, ‘ଜୁଦାଇ’, ‘ନାଚେ ମୟୂରୀ’, ‘ଜୀବନ ଧାରା’, ‘ଇନ୍ସାଫ୍ କି ପୁକାର’, ‘ୱତନ୍ କେ ରଖ୍ୱାଲେ’, ‘ଜନ୍ ଜାନି ଜନାର୍ଦ୍ଦନ୍’ ‘ରାବଣ ରାଜ୍’, ‘ହାତ୍କଡ଼ି’, ‘ଜଙ୍ଗ୍’ ଓ ‘ମୁକାବିଲା’।
ନିର୍ଦେଶନା ବ୍ୟତୀତ ସେ ‘ଶ୍ରୀଲକ୍ଷ୍ମୀ ପ୍ରଡକ୍ସନ୍’ ବ୍ୟାନର୍ରେ ‘ଧିଲ୍’, ‘ଅରୁନ୍’, ‘ସମ୍ଥିଙ୍ଗ୍ ସମ୍ଥିଙ୍ଗ୍, ‘ଉନାକୁମ୍ ଏନାକୁମ୍’ ଏବଂ ‘ମାଲାଇକୋଟାଇ’ ଚଳଚ୍ଚିତ୍ର ପ୍ରଯୋଜନା କରିଥିଲେ।