ବଲିଉଡ ଭାଇଜାନ ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ । ବାଇକରେ ଆସି ଗୁଳିମାଡ କଲେ ଦୁଇ ଦୁର୍ବୃତ୍ତ । ଭୋର ସମୟରେ ସଲମାନଙ୍କ ଘର ବାହାରେ ଗୁଳିମାଡ ହୋଇଥିଲା ମୁମ୍ବାଇ ପୋଲିସ ସୂଚନା ଦେଇଛି । ଗୁଳିମାଡ କରିଥିବା ଦୁଇ ଦୁର୍ବୃତ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ମୁମ୍ବାଇ ପୋଲିସ । ସଲମାନ ଖାନଙ୍କ ବାନ୍ଦ୍ରା ଘର ବାହାରେ ଚାରି ରାଉଣ୍ଡ ଗୁଳି କରି ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଭୋର ସମୟରେ ଦୁଇ ଜଣ ବ୍ୟକ୍ତି ଦ୍ରୁତ ଗତିରେ ବାଇକରେ ଆସି ଗାଲାକ୍ସି ଆପାର୍ଟମେଣ୍ଟ ସାମ୍ନାରେ ଅତିକମରେ ଚାରି ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ କିଏ ଓ କାହିଁକି ସଲମାନଙ୍କ ଘର ଆଗରେ ଗୁଳିମାଡ କଲା ତାର କାରଣ ଅସ୍ପଷ୍ଟ ରହିଛି । ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସଲମାନ ଖାନଙ୍କୁ ଧମକ ଦେଇଛି । ବିଗତ କିଛି ବର୍ଷ ମଧ୍ୟରେ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା କରିବାକୁ ବିଭିନ୍ନ ଉପାୟରେ ଧମକ ଦିଆଯାଇଛି । ଗୁଳିକାଣ୍ଡ ସମୟରେ ସଲମାନ ଖାନ ଘରେ ଥିଲେ ନା ବାହାରେ ତାହା ଜଣାପଡିନାହିଁ । ବାନ୍ଦ୍ରା ପୋଲିସର ଏକ ଟିମ୍ ଗାଲାକ୍ସି ଆପାର୍ଟମେଣ୍ଟକୁ ଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ଏବଂ ଆଖପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ ଏହି ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି, ଗୁଳି ଚଳାଇଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।
ଅଧିକ ପଢ଼ନ୍ତୁ : ବାଲୁକା କଳାରେ ଓଡ଼ିଆ ନବବର୍ଷର ଶୁଭେଚ୍ଛା