ନୂଆଦିଲ୍ଲୀ, ଜାନୁଆରୀ ୨୬ (ଖବର ଓଡ଼ିଶା): ସଲମାନ୍ ଖାନ୍ଙ୍କ ଲୋକପ୍ରିୟ ଶୋ’ ‘ବିଗ୍ବସ୍-୧୫’ର ଗ୍ରାଣ୍ଡ ଫିନାଲେ ନିକଟତର ହୋଇଛି। ଶୋ’ର ଫିନାଲେ ଆପିସୋଡକୁ ସ୍ବତନ୍ତ୍ର ରୂପ ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଏଥର ଶୋ’ରେ ବିଗ୍ବସ୍-୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ବର୍ଷ ୨୦୨୧ରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ ହୋଇଯାଇଥିଲା। ସିଦ୍ଧାର୍ଥଙ୍କ ପରଲୋକ ହେବା ପରେ ଗ୍ଲାମର ଦୁନିଆରେ ସମସ୍ତେ ସ୍ତବ୍ଧ ପାଲଟିଯାଇଥିଲେ। ଏବେ ବିଗ୍ବସ୍ ନିଜର ପ୍ରକୃତ ହିରୋକୁ ମନେ ପକାଇବ। ଏହି ଅବସରରେ ସିଦ୍ଧାର୍ଥଙ୍କ ସବୁଠାରୁ ଭଲ ସାଙ୍ଗ ଶହନାଜ ଗିଲ ଉପସ୍ଥିତ ରହିବେ।
ନିକଟରେ କଲର୍ସ ନିଜର ଇନ୍ଷ୍ଟାଗ୍ରାମ ପେଜ୍ରେ ଏକ ନୂଆ ପ୍ରୋମୋ ଭିଡିଓ ସେୟାର କରିଥିଲା। ଏହି ପ୍ରୋମୋ ଭିଡିଓରେ ସିଦ୍ଧାର୍ଥ ଏବଂ ଶହନାଜଙ୍କ କିଛି ଭିଜୁଆଲ ରହିଥିଲା, ଯାହାକି ବିଗ୍ବସ୍ର ଘରେ ବିତାଇଥିବା ଉଭୟଙ୍କ ସ୍ମରଣୀୟ ମୁହୂର୍ତ୍ତକୁ ମନେ ପକାଇ ଦେଉଥିଲା।