ଟୋରଣ୍ଟୋ: ଅଭିନେତା ତଥା ପଂଜାବୀ ଗାୟକ ଦିଲଜିତ ଦୋସାଂଝ ନିଜର ଗୀତରେ ସମସ୍ତଙ୍କୁ ଆକର୍ଷିତ କରିପାରନ୍ତି। ଦିଲଜିତଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହଁନ୍ତି, ବରଂ ବିଦେଶରେ ମଧ୍ୟ ଅଛନ୍ତି। ଏହି କାରଣରୁ ବେିଦେଶରେ ମଧ୍ୟ ଦିଲଜିତ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।
ଦିଲଜିତ ଦୋସାଂଝ କାନାଡାର ଟୋରଣ୍ଟୋ ସହରରେ ଏକ ମ୍ୟୁଜିକ କାର୍ଯ୍ୟକ୍ରମେ ଯୋଗଦେବା ପାଇଁ ଯାଇଛନ୍ତି। କାନାଡାର ରୋଜର୍ସ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଲଜିତଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ସମାରୋହକୁ ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହା ଥିଲା ସୌଜନ୍ୟମୂଳକ ପରିଦର୍ଶନ। ଏହି ଅବସରରେ ସେ ଗାୟକଙ୍କ ସହିତ କିଛି ସମୟ ପାଇଁ ଅତିବାହିତ କରିଥିଲେ।
ପ୍ରଧାନମନ୍ତ୍ରୀ ଟ୍ରୁଡୋ ଓ ଦିଲଜିତ ଦୋସାଂଝଙ୍କ ଏହି ଭେଟର ଫଟୋ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେୟାର ହୋଇଛି। ଟ୍ରୁଡୋ ଫଟୋକୁ ସେୟାର କରିବା ସହିତ ଲେଖିଛନ୍ତି- ଦିଲଜିତ ଦୋସାଂଝଙ୍କ ଶୋ’ ପୂର୍ବରୁ ତାଙ୍କୁ ଶୁଭେଚ୍ଛା କହିବା ପାଇଁ ରୋଜର୍ସ ସେଣ୍ଟର ପହଞ୍ଚି ଥିଲି। କାନାଡା ଏକ ମହାନ ଦେଶ, ଯେଉଁଠି ପଂଜାବରୁ ଆସିଥିବା ଜଣେ ବ୍ୟକ୍ତି ଇତିହାସ କରିପାରିବେ। ଭିନ୍ନତା କେବଳ ଆମର ଶକ୍ତି ନୁହେଁ, ଏହା ଆମର ସୁପର କ୍ଷମତା।
ସୂଚନାଯୋଗ୍ୟ, ଦିଲଜିତ କାନାଡାରେ ଇତିହାସ ରଚିଛନ୍ତି। ଏଠାରେ ରୋଜର୍ସ ସେଣ୍ଟରରେ ଶୋ’ କରିଥିବା ପ୍ରଥମ ପଂଜାବୀ କଳାକାର ହୋଇପାରିଛନ୍ତି। ଏହି ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ରଖାଯାଇଥିବା ଟିକେଟ ଶେଷ ହୋଇଯାଇଛି। ପଂଜାବରୁ ଆରମ୍ଭ ହେଇଥିବା ଦିଲଜିତ ଏବେ ପୂରା ବିଶ୍ବରେ ଜଣାଶୁଣା ହୋଇପାରିଛନ୍ତି।
ନିଜର ଇନଷ୍ଟାଗ୍ରାମରେ ପ୍ରଧାନମନ୍ତ୍ରୀ ଟୁଡ୍ରୋଙ୍କୁ ଭେଟିବାର ଭିଡିଓ ସେୟାର କରି ଦିଲଜୀତ ଲେଖିଛନ୍ତି, ଭିନ୍ନତା ହେଉଛି କାନାଡାର ବଳ। ପ୍ରଧାନମନ୍ତ୍ରୀ ଟ୍ରୁଡୋ ଇତିହାସ ଦେଖିବାକୁ ଆସିଥିଲେ। ରୋଜର୍ସ ସେଣ୍ଟରରେ ଆମର ଶୋ ହାଉସଫୁଲ ଥିଲା।