ଭୁବନେଶ୍ୱର: ଭିକି କୌଶଳଙ୍କ ଅଭିନୀତ 'ଛାୱା' ବର୍ତମାନ ୧୦୦ କୋଟି କ୍ଲବରେ ସାମିଲ ହୋଇଛି । ଏହି ଐତିହାସିକ ଚଳଚ୍ଚିତ୍ର ତୃତୀୟ ଦିନରେ ୪୮.୫ କୋଟି ସର୍ବାଧିକ ଆୟ କରିଛି । ଲକ୍ଷ୍ମଣ ଉତେକରଙ୍କ ନିର୍ଦେଶିତ 'ଛାୱା' ଫେବୃଆରୀ ୧୪ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ବର୍ତମାନ ଏହା ୧୧୬.୫ କୋଟି ଟଙ୍କା ଭାରତରେ ଆୟ କରିସାରିଛି । ଚଳଚ୍ଚିତ୍ରରେ ଭିକି କୌଶଳ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଦର୍ଶକଙ୍କୁ ବିମୋହିତ କରିଥିବା ବେଳେ ତାଙ୍କ ପତ୍ନୀ ୟେଶୁବାଇ ଭୋସଲେଙ୍କ ଭୂମିକାରେ ରଶ୍ମିକା ମନ୍ଦନା ଅଭିନୟ କରୁଛନ୍ତି । ଏହାସହିତ ଦର୍ଶକଙ୍କୁ ଔରାଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ଖୁବ ପସନ୍ଦ ଆସିଛନ୍ତି । ଅନ୍ୟାନ୍ୟ ଭୂମିକାରେ ଡାଏନା ପେଣ୍ଟି, ଦିବ୍ୟା ଦତ୍ତା, ଆଶୁତୋଷ ରାଣା ଅଭିନୟ କରିଛନ୍ତି ।
'ଛାୱା' ଦ୍ଵିତୀୟ ମରାଠା ଶାସକ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ଅଟେ, ଯିଏକି ବୀର ଯୋଦ୍ଧା ଛତ୍ରପତି ଶିବାଜୀ ମହାରାଜଙ୍କ ଉତ୍ତରପିଢ଼ି ଥିଲେ ।
ସିନେମା ପର୍ଯ୍ୟବେକ୍ଷକ ତରଣ ଆଦର୍ଶ ନିଜର ସାମାଜିକ ଗଣମାଧ୍ୟମ 'X' ଆକାଉଣ୍ଟରେ 'ଛାୱା' ସମ୍ପର୍କରେ ଲେଖି କହିଛନ୍ତି, ସିନେମାଟି କେବଳ ମହାରାଷ୍ଟ୍ର ନୁହେଁ, ମହାରାଷ୍ଟ୍ର ବାହାରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିଛି । ଶନିବାର ଦିଲ୍ଲୀ, ଏନସିଆର, ଅହମଦାବାଦ, ସୁରତ, ରାଜକୋଟ ଇନ୍ଦୋର, ବଡୋଦରା, ଭୋପାଲ, ହାଇଦ୍ରାବାଦ, ବେଙ୍ଗାଳୁରୁ ଆଦି ସ୍ଥାନରେ ଦର୍ଶକଙ୍କୁ ବାନ୍ଧିରଖିପାରିଛି । ବକ୍ସ ଅଫିସର ଆୟରୁ ଏହା ସ୍ପଷ୍ଟ ହୋଇଯାଇଛି । ଏହି ସିନେମାରେ ପ୍ରଥମ ଥର ପାଇଁ ବିକି ଓ ରଶ୍ମିକାଙ୍କୁ ରୂପେଲି ପରଦାରେ ଏକାଠି ଦେଖିବାକୁ ମିଳିଛି । ଦୀନେଶ ଭିଜନଙ୍କ ମଦ୍ଧକ ଫିଲ୍ମସ ଏହାର ପ୍ରଯୋଜନା କରିଛି ।
ଆଗକୁ ପଢନ୍ତୁ: ‘ପୂର୍ବାଞ୍ଚଳ ଏକ୍ସପ୍ରେସୱେ’ରେ ଭୟଙ୍କର ସଡ଼କ ଦୁର୍ଘଟଣା: ପର୍ଯ୍ୟଟକଙ୍କ ବସ୍କୁ ଧକ୍କା ଦେଲା ଯାତ୍ରୀବାହୀ ଗାଡ଼ି