ମୁମ୍ବାଇ : ଲୋକପ୍ରିୟ ବଲିଉଡ୍ ଅଭିନେତା ତଥା ହାସ୍ୟ ଅଭିନେତା ମୁସ୍ତାକ ଖାନ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୫୬ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଫୁସଫୁସ କର୍କଟ ରୋଗରେ ପୀଡ଼ିତ ଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସେ ବଲିଉଡ୍ର ଅନେକ ସୁପରହିଟ୍ ଫିଲ୍ମ ଯେପରିକି ୱେଲକମ , ହମ୍ ହୈଁ ରାହି ପ୍ୟାର୍ କେ, ଗଦର - ଏକ୍ ପ୍ରେମ କଥା, ଆଶିକୀ, ଜୋଡି ନଂ-୧, ଏବଂ ମୁଝସେ ଶାଦି କରୋଗି ଆଦିରେ ନିଜର ଚମତ୍କାର ସହ-ଅଭିନେତା ଓ ହାସ୍ୟରସ ଭରା ଅଭିନୟ ପାଇଁ ବେଶ୍ ପରିଚିତ ଥିଲେ । ତାଙ୍କର ଲୋକପ୍ରିୟ ଡାଇଲଗ୍ ମଧ୍ଯରେ ୱେଲକମ୍ ଫିଲ୍ମରେ ଜଣେ ବିକଳାଙ୍ଗ ହକି ଖେଳାଳି ଭୂମିକାରେ ତାଙ୍କର ଡାଇଲଗ୍ "ମେରୀ ଏକ୍ ଟାଙ୍ଗ୍ ନକଲି ହୈ, ମେଁ ହକି କା ବହୁତ ବଡ଼ା ପ୍ଲେୟାର ହୁଁ" ଆଜି ବି ଦର୍ଶକଙ୍କ ମନରେ ସ୍ମରଣୀୟ ହୋଇ ରହିଛି ।
୧୯୮୦ ଦଶକରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ସେ ପ୍ରାୟ ଚାରି ଦଶନ୍ଧି ଧରି ହିନ୍ଦୀ ସିନେମା, ଟେଲିଭିଜନ ଏବଂ ଓଟିଟି ପ୍ଲାଟଫର୍ମରେ ସକ୍ରିୟ ରହି ପ୍ରଶଂସା ସାଉଁଟିଥିଲେ ।
ତାଙ୍କର ହଠାତ୍ ବିୟୋଗ ବଲିଉଡ୍ ଜଗତ ଏବଂ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ଅନେକ ବଲିଉଡ କଳାକାର ଓ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।