ଜାନୁୟାରୀ ୪ରେ ଆସିବ ପ୍ରଥମ ଓଡ଼ିଆ ମ୍ୟୁଜିକାଲ ସିନେମା ଦଶମ। ଯେଉଁଥିରେ ସ୍କୁଲ ବେଳର କାହାଣୀ ରୂପେଲି ପରଦାରେ ଦିଶିବ । ଏଥିରେ ସମସ୍ତ ମୁଖ୍ୟ ଚରିତ୍ର ନାବାଳକ ଓ ନାବାଳିକା ଭୂମିକାରେ ନଜର ଆସିବେ । ସ୍କୁଲ ବେଳର ଖଟାମିଟା କଥା, ଦଶମ ଶ୍ରେଣୀର ଅନୁଭୂତି ସବୁକୁ ମିଶାଇ ଏହି ସିନେମା ପ୍ରସ୍ତୁତ କରାଯାଇଛି । ଏହାଛଡ଼ା ଦଶମ ହେଉଛି ପ୍ରଥମ ଓଡ଼ିଆ ମ୍ୟୁଜିକାଲ ସିନେମା । ଏହି ମ୍ୟୁଜିକାଲ ସିନେମାରେ ୯ଟି ଗୀତ ରହିଛି । ଓଲିଉଡ ଯେଉଁଭଳି ଭାବେ ନୂଆ ଧାରାରେ ଯୋଡ଼ି ହୋଇ ଆଗକୁ ବଢ଼ୁଛି,, ସେଥିରେ ନିହାତି ରୂପେ ଦଶମ ଆଉ ଏକ ପାଦ ଆଗକୁ ବଢ଼ାଇ ନେବାରେ ସହାୟକ ହେବ ବୋଲି ନିର୍ମାତାମାନେ ଆଶା ରଖିଛନ୍ତି ।
ପୂର୍ବରୁ ମୁକ୍ତିଲାଭ କରି ସାରିଥିବା ଦଶମର ଟିଜରକୁ ଦେଖି ଏହାକୁ ଦର୍ଶକମାନେ ମନଭରି ଭଲପାଇବା ଦେଇଛନ୍ତି । ବୁଧବାର ଫିଲ୍ମ ଦଶମର ପୁରା ଟିମ୍ ପହଞ୍ଚିଥିଲା ପୁରୀ ଶ୍ରୀ ମନ୍ଦିରରେ । ଏହି ଅବସରରେ ସିନେମାଟି ଆସନ୍ତା ଜାନୁୟାରୀ ୪ରେ ରୂପେଲି ପରଦାକୁ ଆସିବ ବୋଲି ଘୋଷଣା କରାଯାଇଥିଲା । ଟିମର ସଦସ୍ୟମାନେ ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରି ସିନେମାର ସଫଳତା ପାଇଁ କାମନା କରିଥିଲେ । ନିର୍ଦ୍ଦେଶକ ରାଜା ଡି, ପ୍ରଯୋଜକ ଦୀପକ ଜେନାଙ୍କ ସମେତ ଶୈଳେନ୍ଦ୍ର ସାମନ୍ତରାୟ, ଆକାଶ ହୋତା, ଫନୀ ପ୍ରତିକ, ଅର୍ମାନ ମହାନ୍ତି, ଜଣ୍ଟି, ଜ୍ୟୋତି, ନିଳାକ୍ଷୀ ପାତ୍ର, ସିମରନ, ସୁମନ ପଟ୍ଟନାୟକଙ୍କ ସମେତ ଅଭିଜ୍ଞ ରବି ମିଶ୍ର ଏବଂ ସୁଶାନ୍ତ ଦାସ ମହାପାତ୍ର ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ ।
ଓଡ଼ିଆ ଚଳଚ୍ଚିତ୍ର ‘ଦଶମ’କୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଲାଣି । ବଡ ପରଦାରେ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଆଦୃତି ଲାଭ କରି ପାରିବ ବୋଲି ଆଶା କରୁଛନ୍ତି ଓଡିଆ ସିନେପ୍ରେମୀ । ଚଳଚ୍ଚିତ୍ରର ପୃଷ୍ଠଭୂମୀ କେବଳ ଅଭିନେତାଙ୍କୁ ନେଇ ନୁହେଁ, ବରଂ ପ୍ରତିଟି ଦର୍ଶକଙ୍କ ଭାବାବେଗକୁ ନେଇ ତିଆରି କରାଯାଇଛି ବୋଲି ନିର୍ମାତା ମାନେ କହିଛନ୍ତି । ତେବେ ଏହା ଭିତରେ ଆଉ ଏକ ଘଟଣା ‘ଦଶମ’ ପ୍ରସ୍ତୁତିକୁ ମଜବୁତ କରିସାରିଛି । ସୁପରଷ୍ଟାର ବାବୁଶାନ୍ ଦଶମ ଟିମ୍ ସହ ଯୋଡ଼ି ହୋଇଛନ୍ତି । ହେଲେ ତାଙ୍କୁ ପରଦାରେ ଦେଖିବାକୁ ମିଳିବ ନାହିଁ । ସିନେମାର ଏକ ପ୍ରମୁଖ ଗୀତରେ ବାବୁଶାନ କଣ୍ଠଦାନ କରିଛନ୍ତି । ଆଉ ଏହି ଗୀତଟି ବେଶ ମନଛୁଆଁ ମଧ୍ୟ ହୋଇଛି ।