ଭୁବନେଶ୍ୱର: ଯୁକ୍ତ ତିନିରେ ନାମ ଲେଖାଇବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ୨୦୨୪-୨୫ ଶିକ୍ଷା ବର୍ଷରେ ଯୁକ୍ତ ତିନି ନାମଲେଖା ପାଇଁ ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ଆବେଦନ କରି ସାରିଛନ୍ତି ସେମାନେ ପୁନର୍ବାର ଦ୍ୱିତୀୟ ପର୍ଯ୍ୟାୟରେ ଆବେଦନ କରିବାର ସୁଯୋଗ ପାଇ ପାରିବେ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ “ଏକ୍ସ’ ଜରିଆରେ ସୂଚନା ଦିଆଯାଇଛି ।
୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ଯୁକ୍ତ ତିନିରେ ନାମ ଲେଖାଇବା ନିୟମରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପରିବତ୍ତର୍ନ କରାଯାଇଛି । ଯେଉଁ ଛାତ୍ରୀଛାତ୍ରମାନେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇ ସାରିଛନ୍ତି, ସେମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଅଂଶଗ୍ରହଣ କରିପାରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନେଇଛି । ଏ ନେଇ “ଏକ୍ସ’ ଜରିଆରେ ସୂଚନା ଦିଆଯାଇଛି । ଏହା ସହିତ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।
ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଗତ ୧୨ ତାରିଖରୁ ଆରମ୍ଭ ହୋଇଛି । ଏହି ଆବେଦନ ପ୍ରକ୍ରିୟା ୨୬ ତାରିଖ ରାତି ୧୧ ଟା ୪୫ ପର୍ଯ୍ୟନ୍ତ ଚାଲିବ । ତେବେ ଏଥିରେ କେଉଁମାନେ ଆବେଦନ କରିପାରିବେ ଏବଂ ଆବେଦନ କରିପାରିବେ ନାହିଁ ସେ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଥିଲା ।
ଆଡ଼ମିସନ ପ୍ରକ୍ରିୟାରେ ହୋଇଥିବା ଏହି ସଂଶୋଧନ ଅନେକ ଛାତ୍ରଛାତ୍ରୀମାନଙ୍କୁ ଆଉ ଏକ ନୂତନ ସୁଯୋଗ ପ୍ରଦାନ କରିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ଆମ ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ରାଜ୍ୟ ତଥା ଦେଶର ଭବିଷ୍ୟତ । ତାଙ୍କର ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବାରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଏହି ନିଷ୍ପତ୍ତି ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ମୋର ଆଶା ଓ ବିଶ୍ୱାସ” ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ଯୁକ୍ତ ତିନି ନାମଲେଖା ପାଇଁ ମୋଟ ୨ ଲକ୍ଷ ୭୪ ହଜାର ୧୫୧ଟି ସିଟ୍ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୭ ହଜାର ୬୭୩ ଜଣ ନାମ ଲେଖାଇଥିବା ବେଳେ ଆଉ ୯୬ ହଜାର ୪୭୮ଟି ସିଟ୍ ଖାଲି ପଡ଼ିଛି । ସିଟ୍ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୩ ତାରିଖ ସକାଳ ୧୦ ଟାରୁ ୬ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇପାରିବେ ।