ଦୀର୍ଘ ଦୁଇ ସପ୍ତାହ ହେଲା ରାଜ୍ୟର ହଜାର ହଜାର ଶିକ୍ଷକ ସେମାନଙ୍କ ଦାବି ପୂରଣ ନେଇ ଆନ୍ଦୋଳନ କରୁଥିଲେ ହେଁ ରାଜ୍ୟ ସରକାର ଏହାର କୌଣସି ସ୍ଥାୟୀ ସମାଧାନ ବାହାର କରିପାରିନାହାନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ଅଧୀନରେ ଥିବା ୯ଟି ଶିକ୍ଷକ ସଂଘକୁ ଡାକି ଆଲୋଚନା କରିଥିଲା । ଏହାସହ ପ୍ରତିଶ୍ରୁତି ଦେଇଛି ଯେ ଡିସେମ୍ବର ମାସ ଶେଷ ସୁଦ୍ଧା ଶିକ୍ଷକ ସଂଘଗୁଡ଼ିକର ଦାବି ପୂରଣ ନେଇ ଖୁସି ଖବର ପାଇବେ। ଏହାପରେ ୯ଟି ଶିକ୍ଷକ ସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ହେଲେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କହିଛି ଯେ ଆମ ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବା ଶିକ୍ଷକମାନେ ଗତ ୮ତାରିଖରୁ ଆନ୍ଦୋଳନ କରୁଥିବାବେଳେ ଗତ ୧୮ ତାରିଖରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବିଭିନ୍ନ ଶିକ୍ଷକ ସଂଗଠନ ସହ ଆଲୋଚନା କରିଥିଲା । ଏହାପରେ ଉକ୍ତ ସଂଘଗୁଡ଼ିକ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଦରକାର ବୋଲି କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କ ସହ ଆଲୋଚନା କରିନଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଶିକ୍ଷକ ସଂଘଗୁଡ଼ିକ ସହ ଆଲୋଚନା କରି ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି।
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆମର ତିନି ଦଫା ଦାବି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଶିକ୍ଷକମାନଙ୍କ ସହ ଉପସ୍ଥିତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଭରଚୁଆଲ ମୋଡ଼ରେ ଯୋଗଦେଇ ଆଲୋଚନା କରିଥିଲେ। ରାଜ୍ୟରେ ଠିକା ନିଯୁକ୍ତି ପ୍ରଥା ଉଚ୍ଛେଦ, କାର୍ଯ୍ୟରତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକମାନଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରିମେଣ୍ଟ ଦେଇ ମୂଳ ଚାକିରିରେ ଗଣନା, ବିଦ୍ୟାଳୟରେ ଥିବା ଏକ୍ସ କ୍ୟାଡର ଶିକ୍ଷକମାନଙ୍କୁ କ୍ୟାଡରଭୁକ୍ତ କରିବା, ଲେଫ୍ଟଆଉଟ ଗଣଶିକ୍ଷକ ତଥା କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ କରିବାର ମାନ୍ୟତା, ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମୂଳ ବେତନ ଲେବୁଲ୍-୯ କେନ୍ଦ୍ରୀୟ ହାରରେ ଗ୍ରେଡ୍ ପେ ୪୨୦୦ଟଙ୍କା ଏବଂ ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଦାବିଗୁଡ଼ିକ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ ଡିସେମ୍ବର ସୁଦ୍ଧା ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଆଲୋଚନାରେ ଓପିଟିଏ, ଏଓପିଟିଏଫ୍, ଓଜେଟିଏ, ଏକ୍ସ-କ୍ୟାଡର, କଳା ଓ କ୍ରୀଡ଼ା, ଏମ୍.ଏଲ୍.ଇ, ପଶ୍ଚିମ ଓଡ଼ିଶା ଫୋରମ୍, ମିଳିତ ମଞ୍ଚ ଏହିପରି ୯ଟି ସଂଗଠନର ୮୦ଜଣ ଶିକ୍ଷକ ଭାଗ ନେଇଥିଲେ।
ଅପରପକ୍ଷେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ ଯେଉଁମାନେ ସରକାରଙ୍କ ଗୁଣଗାନ କରୁଛନ୍ତି ସେମାନଙ୍କ ସହ ଆଜି ସରକାର ଆଲୋଚନା କରିଛନ୍ତି। ଆମେ ସରକାରଙ୍କ କଥାରେ ଏକମତ ନୁହେଁ, ଏଣୁ ଆମକୁ ଆଜି କେଉଁଥିରେ ସାମିଲ କରିନାହାନ୍ତି । ଆମେ ଆମର ତିନି ଦଫା ଦାବିରେ ଏବେ ବି ସ୍ଥିର ରହିଛୁ ।
ଅଧିକ ପଢ଼ନ୍ତୁ : ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ ୱାର୍କସ ଆସୋସିଏସନର ପ୍ରତିବାଦରେ କମ୍ପିଲା ରାଜଧାନୀ