୨୦୨୦ରେ ଖୋଲା ହେବନି ନୂଆ ଇଞ୍ଜିନିୟରିଂ କଲେଜ, ଖରାପ ରେଜଲ୍ଟ ଥିବା କଲେଜରେ ଝୁଲିବ ତାଲା
Khabar Odisha:National-news-No-New-Engineering-College-Will-Open-In-India-In-2020-Session
ନୂଆଦିଲ୍ଲୀ,ଅକ୍ଟୋବର ୧୦ (ଖବର ଓଡ଼ିଶା) :

2020 ମସିହାରେ ଦେଶର କୌଣସି ସ୍ଥାନରେ ଖୋଲିବନି ନୂଆ ଇଞ୍ଜିନିୟରିଂ କଲେଜ । ବି-ଟେକର କୌଣସି କୋର୍ସର ବୃଦ୍ଧି ହେବନି ସିଟ । ଖରାପ ପ୍ରଦର୍ଶନ ଏବଂ ନିୟମ ଉଲ୍ଲଂଘନ କରୁଥିବା କଲେଜ ଗୁଡିକୁ ବନ୍ଦ କରାଯିବ । ସରକାରଙ୍କ ଦ୍ୱାରା ଗଠିତ ହୋଇଥିବା ୱାର୍କିଂ କମିଟିର ଏହି ଅନୁରୋଧକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ବଜାରରେ ଇଞ୍ଜିନିୟରମାନଙ୍କ ହ୍ରାସ ପାଉଥିବା ଚାହିଦାକୁ ନଜରରେ ରଖି ନୂଆ କଲେଜ ଖୋଲିବା ପରିବର୍ତ୍ତେ ଶିକ୍ଷାର ମାନ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । 

କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏଆଇସିଟିଇ ଶିକ୍ଷା ବର୍ଷ 2020-21ରେ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବା ପାଇଁ ମାନ୍ୟତା ଦେବନାହିଁ । ରାଜ୍ୟ ଗୁଡିକୁ ଏସମ୍ପର୍କରେ ଖୁବଶୀଘ୍ର ଅବଗତ କରାଯିବ । ଏହାଛଡା ଇଞ୍ଜିନିୟରିଂ କଲେଜରେ ବି-ଟେକର କୌଣସି କୋର୍ସରେ ସିଟରେ ବୃଦ୍ଧି ହେବ ନାହିଁ । 

2018 ମସିହାରେ ସରକାର ଅନ୍ତରାଷ୍ଟ୍ରୀୟ ଏବଂ ରାଷ୍ଟ୍ରୀୟ ବଜାରରେ ଇଞ୍ଜିନିୟରଙ୍କ ଚାହିଦା ପରଖିବା ପାଇଁ ଆଇଆଇଟି ହାଇଦ୍ରାବାଦର ବୋର୍ଡ ଅଫ ଗଭର୍ଣ୍ଣର ଚେୟାରମ୍ୟାନ ପ୍ରୋ.ଭିବିଆର ମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଆଠ ଜଣିଆ କମିଟି ଗଠିତ କରିଥିଲେ । ଏଥିରେ ଆଇଆଇଟି, ଫିକ୍କି, ନେସକମ, ଆସୋଚାମ, ସେଣ୍ଟର ଫର ମ୍ୟାନେଜମେଣ୍ଟ ଆଜୁକେସନ ଆଦି ସଂସ୍ଥାର ବିଶେଷଜ୍ଞ ସାମିଲ ଥିଲେ । କମିଟି ନିଜ ରିପୋର୍ଟରେ ସୂଚନା ଦେଇଥିଲା ଯେ ଗତ ଦୁଇ ଶିକ୍ଷା ବର୍ଷରେ ଦେଶରେ ଇଞ୍ଜିନିୟରିଂର 50 ପ୍ରତିଶତ ଆସନ ଖାଲି ପଡିଥିଲା । ଏହି ଶିକ୍ଷା ବର୍ଷରେ କେବଳ 52 ପ୍ରତିଶତ ଛାତ୍ରଙ୍କୁ ନିଯୁକ୍ତି ମିଳିଥିଲା । କମିଟି 2020 ଶିକ୍ଷା ବର୍ଷରେ ନୂଆ ଇଞ୍ଜିନିୟରିଂ କଲେଜ ନ ଖୋଲିବାକୁ ପରାମର୍ଶ ଦେଇଥିଲା ।

Subscribe

National International State Sports Entertainment