ଖବର ଓଡିଶା : 23/02/2023
ବଦଳିଲା ନାମଲେଖା ବୟସ ସୀମା, ଏଣିକି ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ପିଲାଙ୍କ ବୟସ ସୀମା ଅନ୍ୟୁନ ୬ ବର୍ଷ କିମ୍ବା ତା’ଠାରୁ ଅଧିକ ହେବା ଆବଶ୍ୟକ। ନୂଆ ଶିକ୍ଷାନୀତି ଅନୁସାରେ ଏପରି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ । ଯେଉଁ ରାଜ୍ୟ ସରକାର ନୂଆ ଶିକ୍ଷା ନୀତିକୁ ଆପଣାଇଛନ୍ତି ସେମାନେ ଏହି ନିୟମ ଲାଗୁହେବ । ତେବେ ଯେଉଁ ରାଜ୍ୟମାନେ ଏହାକୁ ଲାଗୁ କରିନାହାନ୍ତି ସେମାନେ ନୂଆ ଶିକ୍ଷାନୀତିର ଏହି ନିୟମକୁ ଲାଗୁ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ, ୩ ବର୍ଷରୁ ୮ ବର୍ଷ ବୟସରେ ପିଲାମାନଙ୍କ ଶିକ୍ଷା ଗ୍ରହଣର ମୂଳଦୁଆ ପଡ଼ିବା ଉଚିତ୍। ଏହି ୫ ବର୍ଷରୁ ପ୍ରଥମ ୩ ବର୍ଷ ପ୍ରି-ସ୍କୁଲ ଏଜୁକେସନ ଏବଂ ତା’ ପରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ। ଫଳରେ ଏହା ଶିଶୁଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ। ଅଙ୍ଗନୱାଡ଼ି କିମ୍ବା ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଏବଂ ଏନଜିଓ ଦ୍ୱାରା ପରିଚାଳିତ ପ୍ରି-ସ୍କୁଲ ସେଂଟରରେ ପଢୁଥିବା ସମସ୍ତ ପିଲାଙ୍କ ପାଇଁ ତିନି ବର୍ଷର ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉପଲବ୍ଧ କରାଇବା ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ଶିକ୍ଷା ମନ୍ତ୍ରାଳୟ ତରଫରୁ କୁହାଯାଇଛି । ସେହିପରି ପିଲାଙ୍କ ମାନସିକତା ଓ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଖୁବ୍ କମ୍ ବୟସରୁ ସ୍କୁଲକୁ ପଠାଇବା ଅନୁଚିତ ବୋଲି ଗତବର୍ଷ ସୁପ୍ରିମକୋର୍ଟ ମଧ୍ୟ କହିଥିଲେ ।