ଭୁବନେଶ୍ୱର: ଶୁଭ, ଶିଦ୍ଧି ଓ ପବିତ୍ରତାର ପର୍ବ ଅଟେ ଅକ୍ଷୟତୃତୀୟା । ଆଜିର ଦିନରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟମାନ ଆରମ୍ଭ କରାଯିବାର ଆମ ପରମ୍ପରାରେ ରହିଛି । ଆଜିର ଦିନରେ ଚାଷୀ ଅକ୍ଷିମୁଠି ଅନୁକୂଳ କରିଥାନ୍ତି । ଆଜିଠାରୁ ନୂତନ ଚାଷ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଏହାକୁ ଏକ କୃଷିଭିତ୍ତିକ ପର୍ବ ଭାବେ ମଧ୍ୟ ଜଣା ଯାଇଥାଏ । ପ୍ରତି ଓଡ଼ିଆ ଘରେ ଅକ୍ଷୟତୃତୀୟାକୁ ଅତ୍ୟନ୍ତ ଶୁଭ ଦିନ ଭାବେ ବିବେଚନା କରାଯାଇଥାଏ । କୌଣସି ନୂତନ କାର୍ଯ୍ୟ ତଥା ନୂତନ ବ୍ୟବସାୟ ଏହି ଶୁଭ ଲଗ୍ନରେ ଆରମ୍ଭ କରାଯାଇଥାଏ ।
କୃଷିଭିତ୍ତିକ ପର୍ବ :
ଆଜିର ଦିନରେ ଚାଷୀମାନେ ଅଖି ଅନୁକୂଳ କରିଥାନ୍ତି । ନୂତନ ଚାଷ ପର୍ଯ୍ୟାୟ ଆରମ୍ଭ କରିବା ନିମନ୍ତେ ଅଖି ଅନୁକୂଳ କରି ବିହନ ବୁଣିବା ଆରମ୍ଭ କରିଥାନ୍ତି । ଚାଷୀମାନଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନଟି ଚାଷୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ ହୋଇଥିବାରୁ ଏହାକୁ କୃଷି ଭିତ୍ତିକ ପର୍ବ କୁହାଯାଇଥାଏ ।
ରଥକାଠ ଅନୁକୂଳ :
ଅକ୍ଷୟ ତୃତୀୟା ଅବସରରେ ଆଗାମୀ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ରଥକାଠ ରଥ କଥା ଅନୁକୂଳ ହୋଇଥାଏ । ଆଜିର ଏହି ଦିନରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ ।
ଚାପଖେଳ ନୀତି ଆରମ୍ଭ :
ତୀବ୍ର ଗ୍ରୀଷ୍ମର ପୀଡାରେ ସନ୍ତପ୍ତ ମହାପ୍ରଭୁଙ୍କର ଆଜିଠାରୁ ଚାପଖେଳ ନୀତି ଆରମ୍ଭ ହେବ । ମଣି ବିମାନରେ ଶ୍ରୀ ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଓ ରାମକୃଷ୍ଣଙ୍କ ସହିତ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବାକୁ ପ୍ରବେଶ କରନ୍ତି । ସେହିପରି ଆଜିଠାରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ମଧ୍ୟ ଚାପଖେଳ ନୀତି ଆରମ୍ଭ ହେବାକୁ ଯାଉଛି । ଶ୍ରୀଲିଙ୍ଗରାଜଙ୍କ ଚଳନ୍ତି ପ୍ରତିମା ସହିତ ଅନ୍ୟାୟପାର୍ଶ୍ଵ ଦେବା ଦେବୀ ମହାପ୍ରଭୁଙ୍କ ସହ ଚାପଖେଳିବା ପାଇଁ ବିନ୍ଦୁସାଗର ପୁଷ୍କରିଣୀରେ ବିଜେ ହେବେ ।
ଆଜିର ଦିନରେ ଶୁଭକାର୍ଯ୍ୟଦି ସମ୍ପାଦନ କରାଯାଉଥିବାରୁ ଆଜିର ଦିନରେ ସୁବର୍ଣ୍ଣ କ୍ରୟ କରି ଗୃହକୁ ଲକ୍ଷ୍ମୀଙ୍କୁ ଆମନ୍ତ୍ରଣ କରାଯାଇଥାଏ । ଶୁଭ ଅକ୍ଷୟତୃତୀୟା ଅବସରରେ ପାଠକବୃନ୍ଦଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭ କାମନା ।