କୋଣାର୍କ: ପୁଣି ସ୍ୱାସ୍ଥ୍ୟ ବିଭାଗର ଅପାରଗତା ସାମ୍ନାକୁ ଆସିଛି। ମୃତ ବ୍ୟକ୍ତିଙ୍କୁ ନେବା ପାଇଁ ଯୋଗାଇ ପାରୁନାହାନ୍ତି ଆମ୍ବୁଲାନ୍ସ। ଟ୍ରଲିରେ ମୃତଦେହ ବୁହା ହେବାର ଘଟଣା ପୁଣି ସାମ୍ନାକୁ ଆସିଛି। ଏପରି ଦୁଃଖଦ ଘଟଣାଟି ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକର ଗୋପ ଅଞ୍ଚଳରେ।
ସୂଚନା ଅନୁଯାୟୀ ଗୋପ ନିକଟସ୍ଥ ତଳସାହି ଗ୍ରାମର ପୁର୍ଣଚନ୍ଦ୍ର ଭୋଇ ନାମକ ବ୍ୟକ୍ତି ଶୌଚ ହେବା ପାଇଁ ଯାଇଥିବା ବେଳେ ହଠାତ ଚେତାଶୂନ୍ୟ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ଚିକିତ୍ସାଳୟକୁ ନେଇଥିଲେ ପରିବାରବର୍ଗ। ମାତ୍ର ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ପରିବାର ମୃତଦେହକୁ ନେବାପାଇଁ ଆମ୍ବୁଲାନ୍ସ ପାଇଁ ଅନୁରୋଧ କରିଥିଲେ। ମାତ୍ର ଆମ୍ବୁଲାନ୍ସ ସେବା ଉପଲବ୍ଧ ନଥିବାର ଡାକ୍ତର ଜଣାଇଥିଲେ। ପରେ ପରିବାର ଲୋକ ତାଙ୍କ ମୃତ ଶରୀରକୁ ଟ୍ରଲିରେ ବୋହି ଘରକୁ ନେଇଥିଲେ। ତେବେ ଏପରି ଅବ୍ୟବସ୍ଥାର ସମାଧାନ ଦିଗରେ ପଦକ୍ଷେପ ନେବା ଖୁବ ଆବଶ୍ୟକ।