ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି। ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ଆଜି ପ୍ରଚଣ୍ଡ ପ୍ରତାପୀ ରାଜା ରାମଚନ୍ଦ୍ର ଭକ୍ତ ଶ୍ରୀ ହନୁମାନଙ୍କର ଜନ୍ମ ଜୟନ୍ତୀ ଅଟେ । ଆଜିର ଦିନର ବିଶେଷତ୍ଵ ଖୁବ୍ ପବିତ୍ର ଓ ନିଆରା ଅଟେ ।
ସୂର୍ଯ୍ୟଙ୍କର ଚଳନ ମୁତାବକ ଓଡ଼ିଆ ପାଞ୍ଜି ନିର୍ଦ୍ଧାରଣ କରାଯାଇଥାଏ । ଆଜିର ଏହି ପବିତ୍ର ଦିନରୁ ନୂଆ ଓଡ଼ିଆ ପାଞ୍ଜି ପ୍ରଚଳନ ଆରମ୍ଭ ହୋଇଥାଏ। ଏଥିପାଇଁ ଆଜିର ଦିନକୁ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ । ପବିତ୍ର ବୈଶାଖ ବ୍ରତ ମଧ୍ୟ ଏହି ଦିନରୁ ଆରମ୍ଭ ହୋଇଥାଏ ।
ଶ୍ରୀରାମ ଭକ୍ତ ମହାବୀର ହନୁମାନ ଆଜିର ଏହି ପବିତ୍ର ଦିବସରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ଏହି ଉପଲକ୍ଷେ ବିଭିନ୍ନ ଦେବାଳୟରେ ୧୦୮ ହନୁମାନ ଚାଳିଶା ପାଠ ସହିତ ଯଜ୍ଞର ଆୟୋଜନ କରାଯାଇଥାଏ । ମହାବୀର ହନୁମାନଙ୍କ କୃପା ଲାଭ ପାଇଁ ଦେବାଳୟରେ ଅନେକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।
ବୈଶାଖ ମାସରୁ ଗ୍ରୀଷ୍ମଋତୁର ପ୍ରଭାବ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରିପକାଏ । ଗ୍ରୀଷ୍ମଋତୁ ଆଗମନ ଯୋଗୁଁ ଶରୀରରେ ଜଳୀୟ ଅଂଶ କମିଯାଏ, ତେଣୁ ଆଜିର ଦିନ ଠାରୁ ପଣା ସେବନ କରାଯାଏ। ଏଥିପାଇଁ ଏହାକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ଅଭିହିତ କରାଯାଇଥାଏ । ବେଲ ପଣା, ଛତୁଆ ପଣା ଓ ଦହି ପଣା ଶରୀର ପକ୍ଷେ ହିତକର ଭାବେ କାର୍ଯ୍ୟ କରିଥାଏ ।
ରୌଦ୍ର ତାପ ଯୋଗୁଁ ଅଗଣାରେ ତୁଳସୀ ଗଛ ଶୁଖିଯାଏ। ଏହି ପାଇଁ ତୁଳସୀ ଉପରେ ଆଜିର ଦିନରେ ବସୁନ୍ଧରା ଠେକି ବନ୍ଧା ଯାଏ । ଯାହା ଦ୍ଵାରା ଏହି ଠେକିରୁ ନିର୍ଗତ ବିନ୍ଦୁ ବିନ୍ଦୁ ଜଳ ତୁଳସୀ ଗଛକୁ ଆଦ୍ରତା ପ୍ରଦାନ କରିଥାଏ । ଏଥିପାଇଁ ଆଜିର ଦିନକୁ ଠେକି ବନ୍ଧା ସଂକ୍ରାନ୍ତି ମଧ୍ୟ କୁହାଯାଏ
ଆଜିର ଦିନରେ ସୁର୍ଯ୍ୟ ଦେବଙ୍କୁ ଛତୁଆ ପଣା ଅର୍ଘ୍ୟ ରୂପେ ପ୍ରଦାନ କରାଯାଇଥାଏ । ଆଜି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ଝାମୁ ଯାତ୍ରା ଆରମ୍ଭ ହୋଇଥାଏ । ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିବା ଝାମୁ ବ୍ରତ ଆଜିର ଦିନ ରେ ଭକ୍ତ ମାନେ ଉଦଯାପନ କରିଥାନ୍ତି ।
ଆହୁରି ଦେଖନ୍ତୁ : ଆଜି ପବିତ୍ର ପଣା ସଂକ୍ରାନ୍ତି